ସାମ୍ବାଦିକ- ରାଜୀବ ବେହେରା
ତାରିଖ- ୩୦-୦୪-୨୦୨୬
ଉଦଳା : ମୟୁରଭଞ୍ଜ ଜିଲ୍ଲା ଉଦଳା ଅଞ୍ଚଳରେ ସକାଳ ସମୟରେ ଘଟିଛି ଏକ ଭୟାବହ ସଡକ ଦୁର୍ଘଟଣା, ଯାହା ଅଞ୍ଚଳବାସୀଙ୍କୁ ଆତଙ୍କିତ କରିଦେଇଛି। ଗୁଡୁଗୁଡ଼ିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବରବାଡି ଛକ ନିକଟରେ ଦ୍ରୁତଗାମୀ ଏକ କାର ଭାରସାମ୍ୟ ହରାଇ ସିଧାସଳଖ ଏକ ଘର ଭିତରକୁ ପଶିଯାଇଥିଲା। ଚନା ଅନୁସାରେ, କାରଟି ଅତ୍ୟଧିକ ଗତିରେ ଚାଲୁଥିବାବେଳେ ଆଗରେ ଯାଉଥିବା ଏକ ବାଇକକୁ ସାଇଡ ଦେବାକୁ ଚେଷ୍ଟା କରିଥିଲା। ଏହି ସମୟରେ ଚାଳକ ଭାରସାମ୍ୟ ହରାଇ ରାସ୍ତା ତଳକୁ କାର ସହିତ ଖସିଯାଇଥିଲେ ଏବଂ ପଥରକୁ ଧକ୍କା ଦେଇ ପରେ ଦୁଇ ଚକ ଫାଟି ଯାଇ ଘରର କାନ୍ଥ ଭାଙ୍ଗି ଭିତରକୁ ପଶିଯାଇଥିଲା। ପ୍ରଚଣ୍ଡ ଶବ୍ଦରେ ଚାରିପାଖର ଅଞ୍ଚଳ କମ୍ପିଉଠିଥିଲା।
ଘଟଣା ସମୟରେ ଘର ଭିତରେ ଥିବା ଦୁଇଜଣ ବୃଦ୍ଧ ଅଳ୍ପକେ ପ୍ରାଣରକ୍ଷା ପାଇଥିବାବେଳେ, ଘରର କାନ୍ଥ ଓ ଚାଳ ଭାଙ୍ଗିଯାଇଥିବା ସହ ଘରୋଇ ସାମଗ୍ରୀର ବ୍ୟାପକ କ୍ଷତି ଘଟିଛି।
ଦୁର୍ଘଟଣା ପରେ କାରର ଆଗ ଅଂଶ ଭୟଙ୍କର ଭାବେ କ୍ଷତିଗ୍ରସ୍ତ ହୋଇଥିବା ସହ ଦୁଇଟି ଚକ୍କା ମଧ୍ୟ ଫାଟିଯାଇଥିବା ଜଣାପଡ଼ିଛି। ଘଟଣାସ୍ଥଳରୁ କାର ଚାଳକ ପଳାଇଯାଇଥିବା ସନ୍ଦେହ କରାଯାଉଛି। ଏହି ଘଟଣା ପରେ ସ୍ଥାନୀୟ ଲୋକମାନେ ଉତ୍ତେଜିତ ହୋଇ ଦୋଷୀ ଚାଳକଙ୍କୁ ଶୀଘ୍ର ଚିହ୍ନଟ କରି ଗିରଫ କରିବା ସହ ପୀଡିତ ପରିବାରକୁ ଯଥୋଚିତ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି। ସେହିପରି ଅଞ୍ଚଳରେ ଅତ୍ୟଧିକ ଗତିକୁ ନିୟନ୍ତ୍ରଣ କରିବା ପାଇଁ କଡ଼ା ଟ୍ରାଫିକ ବ୍ୟବସ୍ଥା ଆବଶ୍ୟକ ବୋଲି ସେମାନେ ମତ ପ୍ରକାଶ କରିଛନ୍ତି। ଏହି ଦୁର୍ଘଟଣା ପୁଣିଥରେ ପ୍ରମାଣ କରିଛି ଯେ, ଦ୍ରୁତ ଗତି ଏକ ମୁହୂର୍ତ୍ତରେ ମଣିଷର ଜୀବନ ଓ ସମ୍ପତ୍ତିକୁ ବିପଦରେ ପକାଇଦେଇପାରେ। ପ୍ରଶ୍ନ ଉଠୁଛି — ଏଭଳି ଅବହେଳାକୁ କେବେ ଲଗାମ ଲଗିବ? ପୀଡିତଙ୍କୁ କେବେ ମିଳିବ ନ୍ୟାୟ? ତେବେ ଫେରାର କାର ଚାଳକ ଉଦଳା ଵିଜ୍ଞାପିତ ଅଞ୍ଚଳ ପରିଷଦର ଏକ୍ସଜୁକୁଟିଭ ଅଫିସର ବୋଲି ଜଣା ପଡିଛି l












