ସାମ୍ବାଦିକ ପ୍ରଶାନ୍ତ ରାଉଳ
କୋଲକତା : ଇସ୍କନ୍ ର ସମସ୍ତ ଶାଖାରେ, ଏହାର ମୁଖ୍ୟ କେନ୍ଦ୍ର ରାଜ୍ୟ ପଶ୍ଚିମ ବଙ୍ଗର ନଦୀଆ ଜିଲ୍ଲା ସ୍ଥିତ ବିଶ୍ଵ ପ୍ରସିଦ୍ଧ ଇସ୍କନ ମନ୍ଦିର ମାୟାପୁର ସମେତ, ଭଗବାନ ଶ୍ରୀକୃଷ୍ଣଙ୍କ ୫,୨୫୨ତମ ଜନ୍ମ ଜୟନ୍ତୀ ଯଥା ସମ୍ମାନର ସହିତ ପାଳନ କରାଯାଉଛି। କୃଷ୍ଣଙ୍କ ଜନ୍ମ ଜୟନ୍ତୀ ବା ଆବିର୍ଭାବ ଦିବସ ଅବସରରେ, ଲକ୍ଷ ଲକ୍ଷ ଦେଶୀ ଏବଂ ବିଦେଶୀ ଭକ୍ତ ମାୟାପୁର ଇସ୍କନ୍ ରେ ଏକତ୍ରିତ ହୋଇସାରିଛନ୍ତି। ଜାତି, ଧର୍ମ କିମ୍ବା ବର୍ଣ୍ଣ ନିର୍ବିଶେଷରେ ସମସ୍ତ ଲୋକଙ୍କ ଆଗମନ ସହିତ ମାୟାପୁର ଇସ୍କନ୍ ଏକ କ୍ଷୁଦ୍ର ଜଗତରେ ପରିଣତ ହୋଇଛି। ଶୁକ୍ରବାର ରାତିରେ ସ୍ନାନ ସହିତ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ଜୟନ୍ତୀ ବା ଆବିର୍ଭାବ ଦିବସର ଶୁଭ ଆରମ୍ଭ ହୋଇଥିଲା। ଆଜି ସକାଳରୁ ମାୟାପୁର ଚନ୍ଦ୍ରଦୟ ମନ୍ଦିରରେ ମଙ୍ଗଳାରତୀ ଦର୍ଶନାରତୀ ସହିତ ବିଶ୍ୱ ଯଜ୍ଞ କରାଯାଇଥିଲା। ଦାମୋଦର ଅଷ୍ଟକମ୍ ଏବଂ ବୈଦିକ ମନ୍ତ୍ର ଜପ ସହିତ ଦିନସାରା ବିଶେଷ ପୂଜା ଅନୁଷ୍ଠିତ ହେଉଛି।
ଇସ୍କନ୍ ର ସମସ୍ତ ଦେଶୀ ଏବଂ ବିଦେଶୀ ଭକ୍ତ ସାରା ଦିନ ଉପବାସ ରଖି ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ଅବସରରେ ମହା ଅଭିଷେକ ଉତ୍ସବରେ ଯୋଗଦେବେ। ଘିଅ, ମହୁ, କ୍ଷୀର, ଗଙ୍ଗା ଏବଂ ବିଭିନ୍ନ ଫଳ ରସ ସହିତ ପ୍ରତିମାଙ୍କୁ ମହାଅଭିଷେକ କରାଯିବ। ଏହା ପରେ ମଧ୍ୟରାତ୍ରିରେ ସମସ୍ତ ଭକ୍ତଙ୍କୁ ଅନୁକଳ୍ପ ପ୍ରସାଦ ପରିବେଷଣ କରାଯିବ। ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ଅବସରରେ ସମଗ୍ର ଇସ୍କନ ପରିସରକୁ ପୁଷ୍ପମାଲ୍ୟରେ ସଜାଯାଇସାରିଛି। ଭିଡ଼କୁ ପରିଚାଳନା କରିବା ପାଇଁ ମନ୍ଦିର ବାହାରେ ଏଲଇଡି ଟିଭି ଲଗାଯାଇଛି। ସମଗ୍ର ଇସ୍କନ ପରିସରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ଅବସରରେ ଯେପରି କୌଣସି ଅପ୍ରୀତିକର ଘଟଣା ନ ଘଟେ ସେଥିପାଇଁ ପୋଲିସ ପ୍ରଶାସନ ବ୍ୟତୀତ ଇସ୍କନର ନିଜସ୍ୱ ସୁରକ୍ଷା କର୍ମୀମାନେ ପ୍ରସ୍ତୁତ ଅଛନ୍ତି











