ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ବିରୋଧୀ: ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବି ଜୋରଦାର
ଆଜି ଅଷ୍ଟମ ଦିନ ପାଇଁ ବିଧାନସଭା କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିରୋଧୀ ଅଟଳ ଅଛନ୍ତି। ଫଳରେ ଗତ ୧୭ ତାରିଖରୁ ଗୃହ କାର୍ଯ୍ୟ ହୋଇପାରୁନି।
BY- SUBHASMITA- March 27
Assembly: ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ବିରୋଧୀ: ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବି ଜୋରଦାର
ଭୁବନେଶ୍ବର: ଆଜି ଅଷ୍ଟମ ଦିନ ପାଇଁ ବିଧାନସଭା କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିରୋଧୀ ଅଟଳ ଅଛନ୍ତି। ଫଳରେ ଗତ ୧୭ ତାରିଖରୁ ଗୃହ କାର୍ଯ୍ୟ ହୋଇପାରୁନି। ସର୍ବଦଳୀୟ ବୈଠକ ବାରମ୍ବାର ବିଫଳ ହେଉଛି। ବିରୋଧୀମାନେ ପ୍ରତିଦିନ ନୂଆନୂଆ ତରିକାରେ ପ୍ରତିବାଦ ଜଣାଉଛନ୍ତି। ଗୃହ ବାହାରେ ଶାସକ ଓ ବିରୋଧୀଙ୍କ ବୟାନବାଜି ରାଜନୀତିକୁ ସରଗରମ କରୁଛି। ଗତ ସାତ ଦିନ ହେଲା ଗୃହରେ ଯାହା ଯାହା ଘଟୁଥିଲା, ଆଜି ବି ତାହାର ପୁନରାବୃତ୍ତି ହେଲା। ପ୍ରଶ୍ନକାଳ ଆରମ୍ଭ ହେଲା ମାତ୍ରେ ବିଜେଡି ଓ କଂଗ୍ରେସ ସଭ୍ୟମାନେ ଗୃହ ମଧ୍ୟ ଭାଗକୁ ମାଡ଼ିଆସିଲେ। ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଗୃହ କମ୍ପାଇଥିଲେ। ପ୍ଲାକାର୍ଡ ଓ ବ୍ୟାନର ଦେଖାଇ ପ୍ରତିବାଦ କରିଥିଲେ। ବାଚସ୍ପତି ପ୍ରଶ୍ନକାଳ ଜାରି ରଖିବାକୁ ଚେଷ୍ଟା କରିଥିଲେ ବି ସଫଳ ହୋଇ ନଥିଲେ। ଗୃହକୁ ୧୧ଟା ୩୦ ପର୍ଯ୍ୟନ୍ତ ମୁଲତବୀ ରଖିଲେ।
ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବି ଜୋରଦାର ଶାସକ ଦଳ ସଭ୍ୟ ପ୍ଲାକାର୍ଡ ଦେଖାଇ ପ୍ରତିବାଦ କଲେ
ଏହା ପରେ ବିରୋଧୀ ଦଳ ସଦସ୍ୟମାନେ ଏକଜୁଟ୍ ହୋଇ ନାରାବାଜି କରି ଗାନ୍ଧୀ ମୂର୍ତ୍ତି ନିକଟକୁ ଯାଇଥିଲେ। ଏସ୍ସିବି ନିଆଁରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିମାନଙ୍କ ନାମ ପ୍ଲାକାର୍ଡରେ ଲେଖି ସେଠାରେ ରଖିଥିଲେ। ସେହି ପ୍ଲାକାର୍ଡ ନିକଟରେ ଫୁଲ ଦେଇ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସ୍ବାସ୍ଥ୍ୟ ମନ୍ତ୍ରୀ ଇସ୍ତଫା ନ ଦେବା ପର୍ଯ୍ୟନ୍ତ ପ୍ରତିବାଦ ଜାରି ରହିବ ବୋଲି ଚେତାବନୀ ଦେଇଥିଲେ। ୧୧ଟା ୩୦ରେ ଗୃହ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ବିଜେପିର କିଛି ବିଧାୟକ ପ୍ଲାକାର୍ଡ ଓ ବ୍ୟାନର ଆଣି ଶାସକ ଦଳର ସବୁ ବିଧାୟକଙ୍କ ଆସନ ଉପରେ ରଖିଦେଲେ। ଗୃହ କାର୍ଯ୍ୟ ଆରମ୍ଭ ହେଲା ମାତ୍ରେ ଶାସକ ଦଳ ବିଧାୟକମାନେ ପ୍ଲାକାର୍ଡ ଧରି ନିଜ ନିଜ ଆସନରେ ବସିଲେ। ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରି ଲେଖାମାନ ଏହି ପ୍ଲାକାର୍ଡରେ ଥିଲା। ଏପଟେ ବିରୋଧୀ ଦଳ ସଦସ୍ୟମାନେ ଗୃହ ମଧ୍ୟ ଭାଗରେ ପ୍ରତିବାଦ ଜାରି ରଖିଲେ।
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସମେତ ଶାସକ ଦଳ ବିଧାୟକ ଅଶ୍ବିନୀ କୁମାର ଷଡ଼ଙ୍ଗୀ, ଈରାଶିଷ ଆଚାର୍ଯ୍ୟ, ସନାତନ ବିଜୁଳି, ମନୋରଞ୍ଜନ ଦ୍ୟାନସମାନ୍ତରାୟ, ଅମରେନ୍ଦ୍ର ଦାସ ଓ ପଦ୍ମଲୋଚନ ପଣ୍ଡା ପ୍ରମୁଖ ବିରୋଧୀ ଦଳର ଆଭିମୁଖ୍ୟକୁ ସମାଲୋଚନା କରିଥିଲେ। ବିରୋଧୀ ଦଳ ଗଣତନ୍ତ୍ରକୁ ହତ୍ୟା କରୁଛନ୍ତି। ସେମାନଙ୍କ ଆଚରଣ ପାଇଁ ଜନପ୍ରତିନିଧିଙ୍କ ପ୍ରତି ଲୋକଙ୍କର ନକରାତ୍ମକ ଭାବନା ସୃଷ୍ଟି ହେଉଛି। ବିରୋଧୀ ଦଳ ନେତା ତାମସା ଦେଖୁଛନ୍ତି ବୋଲି ସେମାନେ ଆରୋପ ଲଗାଇଥିଲେ। ଗୃହ କାର୍ଯ୍ୟ ଜାରି ରହିବାରୁ ବିରୋଧୀ ଦଳ ବିଧାୟକମାନେ କକ୍ଷତ୍ୟାଗ କରିଥିଲେ। ଶାସକ ଦଳ ସଭ୍ୟମାନେ କହିସାରିଲା ପରେ ବାଚସ୍ପତି ଗୃହକୁ ସୋମବାର ପର୍ଯ୍ୟନ୍ତ ମୁଲତବୀ ରଖିଲେ। ଆଜି ରୁକୁଣା ରଥଯାତ୍ରା ପାଇଁ ସ୍ଥାନୀୟ ଛୁଟି ଘୋଷଣା ହୋଇଥିବାରୁ ଗୃହ କାର୍ଯ୍ୟକୁ ବି ପ୍ରଥମାର୍ଦ୍ଧରେ ସୀମିତ ରଖାଯାଇଥିଲା।
ଚର୍ଚ୍ଚା News











