ଲୋକସଭା ଓ ରାଜ୍ୟସଭାକୁ ଛଅ ଥର ମୁଲତବୀ ରଖିବାକୁ ପଡିଥିଲା। ବିରୋଧୀ ସାଂସଦମାନେ ନିଟ୍ ପ୍ରଶ୍ନପତ୍ର ଲିକ୍ ଓ ରାମ ମନ୍ଦିର ଦାନ ଚୋରି ଉପରେ ଆଲୋଚନା କରିବାକୁ ଦାବି କରୁଥିଲେ।
BY-SUBHASMITA-DT-2.7.2026
ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଲୋକସଭା ଓ ରାଜ୍ୟସଭାରେ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି। ରାମମନ୍ଦିର ଦାନ ଚୋରି, ନିଟ୍ ପ୍ରଶ୍ନପତ୍ର ଲିକ୍ ଓ ସିଜେପି ଆନ୍ଦୋଳନ ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ସରକାରଙ୍କୁ ଘେରିବା ସହ ଆଲୋଚନା ଦାବି କରିଥିଲେ। ଏହାଫଳରେ ଉଭୟ ସଦନକୁ ମୋଟ ଛଅ ଥର ମୁଲତବୀ କରିବାକୁ ପଡ଼ିଥିଲା।
ବିରୋଧୀ ସାଂସଦମାନେ ପୋଷ୍ଟର ଓ ବ୍ୟାନର ଧରି ସଦନରେ ପ୍ରବେଶ କରି ସ୍ଲୋଗାନ ଦେଇଥିଲେ। ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେ ଯନ୍ତରମନ୍ତରରେ ହୋଇଥିବା ସିଜେପି ଆନ୍ଦୋଳନ ଏବଂ ପ୍ରଦର୍ଶନକାରୀଙ୍କ ଉପରେ ଲାଠିଚାର୍ଜ ପ୍ରସଙ୍ଗ ଉଠାଇ ସରକାରଙ୍କୁ ସମାଲୋଚନା କରିଥିଲେ।
ହଟ୍ଟଗୋଳ ମଧ୍ୟରେ ଆଇନମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ସୁପ୍ରିମକୋର୍ଟର ବିଚାରପତି ସଂଖ୍ୟା ୩୪ରୁ ୩୮କୁ ବୃଦ୍ଧି କରିବା ସମ୍ବନ୍ଧୀୟ ବିଲ୍ ଆଗତ କରିଥିଲେ। ଏହି ବିଲ୍ ପାରିତ ହେବା ପାଇଁ ସରଳ ବହୁମତ ଆବଶ୍ୟକ ରହିଛି।
ଅନ୍ୟପଟେ ଅଧିବେଶନ ଆରମ୍ଭ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ଦଳକୁ ସକାରାତ୍ମକ ଓ ଯୁକ୍ତିପୂର୍ଣ୍ଣ ଆଲୋଚନା ପାଇଁ ଆହ୍ୱାନ ଜଣାଇଥିଲେ। ସେ କହିଥିଲେ ଯେ, ଗଣତନ୍ତ୍ରର ସବୁଠୁ ବଡ଼ ମଞ୍ଚ ହେଉଛି ସଂସଦ ଏବଂ ଏଠାରେ ଜନସାଧାରଣଙ୍କ ସ୍ୱାର୍ଥକୁ ପ୍ରାଥମିକତା ଦେଇ ଗଠନମୂଳକ ଆଲୋଚନା ହେବା ଆବଶ୍ୟକ।
ଏହି ମୌସୁମୀ ଅଧିବେଶନ ଜୁଲାଇ ୨୦ରୁ ଆରମ୍ଭ ହୋଇ ଅଗଷ୍ଟ ୧୩ ପର୍ଯ୍ୟନ୍ତ ଚାଲିବ। ଏହି ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ୍ ଉପସ୍ଥାପନ ହେବା ସହ ସରକାର ଓ ବିରୋଧୀଙ୍କ ମଧ୍ୟରେ ବିଭିନ୍ନ ଜାତୀୟ ପ୍ରସଙ୍ଗକୁ ନେଇ ଜୋରଦାର ଚର୍ଚ୍ଚା ହେବାର ସମ୍ଭାବନା ରହିଛି ।
ଚର୍ଚ୍ଚା NEWS












