ଉଦଳା:( ରାଜୀବ କୁମାର ବେହେରା) –
ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା ଉପଖଣ୍ଡ ଅନ୍ତର୍ଗତ ବଡ଼ଖମଣ ପଞ୍ଚାୟତସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଖମଣର ସହକାରୀ ଶିକ୍ଷୟିତ୍ରୀ ଶ୍ରୀମତୀ କଳ୍ପଲତା ଜେନାଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ଉଦଳାସ୍ଥିତ ତୁଳସୀ କଲ୍ୟାଣ ମଣ୍ଡପରେ ଗମ୍ଭୀର ଓ ଗୌରବମୟ ପରିବେଶରେ ପାଳିତ ହୋଇଯାଇଛି।
ଏହି ସମ୍ମାନନୀୟ କାର୍ଯ୍ୟକ୍ରମରେ କପ୍ତିପଦା ଉପଖଣ୍ଡର ବହୁ ଶିକ୍ଷକ–ଶିକ୍ଷୟିତ୍ରୀ, ଶିକ୍ଷାବିତ, ସହିତ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ–ସଦସ୍ୟାମାନେ ଉପସ୍ଥିତ ରହି ଶିକ୍ଷା ସେବାରେ ତାଙ୍କ ଦୀର୍ଘ ଓ ନିଷ୍ଠାବାନ ଅବଦାନକୁ ସ୍ମରଣ କରିଥିଲେ।
ଶ୍ରୀମତୀ କଳ୍ପଲତା ଜେନା ନିଜ କର୍ମଜୀବନକାଳରେ ବିଭିନ୍ନ ଶିକ୍ଷାନୁଷ୍ଠାନରେ ସେବା ଦେଇ ଆଦିବାସୀ ଓ ପଛୁଆ ଅଞ୍ଚଳର ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାର ଆଲୋକରେ ଆଲୋକିତ କରିଥିଲେ। ତାଙ୍କର ଅନବରତ ପ୍ରୟାସର ଫଳସ୍ୱରୂପ ବିଦ୍ୟାଳୟଟି ଉଚ୍ଚ ପ୍ରାଥମିକ ସ୍ତରରୁ ଉଚ୍ଚ ବିଦ୍ୟାଳୟର ମର୍ଯ୍ୟାଦା ଲାଭ କରିଥିବା ସହିତ ଅଞ୍ଚଳରେ ଶିକ୍ଷା ଓ ସାମାଜିକ ଉନ୍ନତିର ନୂଆ ଦିଗ ଖୋଲିଥିଲା।
ଏହି ଅବସରରେ ସଭାପତି ଭାବେ କପ୍ତିପଦା ଉପଖଣ୍ଡର ଏ.ବି.ଇ.ଓ. ଶ୍ରୀମତୀ ମୀନତି ପଣ୍ଡା ଉପସ୍ଥିତ ରହିଥିବା ବେଳେ, ସମ୍ମାନିତ ଅତିଥି ଭାବେ ବଡ଼ଖମଣ ପଞ୍ଚାୟତର ସରପଞ୍ଚ ଠୁମ୍ପୁ ମୁର୍ମୁ, ଶିକ୍ଷାବିତ ସୁଦର୍ଶନ ନାୟକ, ହରିମୋହନ ବେହେରା ଓ ଶ୍ରୀନିବାସ ମଢ଼ୁଆଳ ମଞ୍ଚାସୀନ ଥିଲେ। ଅତିଥି ପରିଚୟ ଶିକ୍ଷକ ଦୈତାରି ବିନ୍ଧାଣି ପ୍ରଦାନ କରିଥିଲେ।
ବକ୍ତାମାନେ ନିଜ ନିଜ ବକ୍ତବ୍ୟରେ ଶ୍ରୀମତୀ ଜେନାଙ୍କ ଶିକ୍ଷା ପ୍ରତି ନିଷ୍ଠା, କର୍ତ୍ତବ୍ୟବୋଧ ଓ ସେବାଭାବକୁ ଉଚ୍ଚ ପ୍ରଶଂସା କରିବା ସହ ତାଙ୍କ ଆଗାମୀ ଅବସରଜୀବନ ସୁସ୍ଥ, ସୁଖମୟ ଓ ଦୀର୍ଘାୟୁ ହେଉ ବୋଲି କାମନା କରିଥିଲେ। ଅନୁଷ୍ଠାନ ପକ୍ଷରୁ ତାଙ୍କୁ ମାନପତ୍ର ଓ ଉପଢ଼ୌକନ ପ୍ରଦାନ କରି ସମ୍ମାନିତ କରାଯାଇଥିଲା।
ଶେଷରେ ଶିକ୍ଷକ ଶ୍ରୀକୃଷ୍ଣ ଚନ୍ଦ୍ର ମହାତ ଧନ୍ୟବାଦ ଅର୍ପଣ କରି ସଭାର ସମାପ୍ତି ଘୋଷଣା କରିଥିଲେ।
ଶିକ୍ଷା ସେବାରେ ଏକ ସ୍ମରଣୀୟ ଅଧ୍ୟାୟର ସମାପ୍ତିଉଦଳାରେ ସହକାରୀ ଶିକ୍ଷୟିତ୍ରୀ କଳ୍ପଲତା ଜେନାଙ୍କ ଅବସରକାଳୀନ ସମ୍ବର୍ଦ୍ଧନା
By Charcha News












