ସାମ୍ବାଦିକ: ପ୍ରଶାନ୍ତ ରାଉଳ
କୋଲକାତା
ଆଜି ଭୋର ସମୟରେ ମା ଫ୍ଲାଏଓଭରରେ ଭୟାବହ ଦୁର୍ଘଟଣା। ଦକ୍ଷିଣ କୋଲକତା ସାଇନ୍ସ ସିଟି ଦିଗରୁ ଆସୁଥିବା ଏକ ମର୍ସିଡିଜ୍ ଗାଡି ନିୟନ୍ତ୍ରଣ ହରାଇ କୋଲକତା ପାର୍କଷ୍ଟ୍ରିଟ ଅଞ୍ଚଳ ସଂଲଗ୍ନ ମା ବ୍ରିଜ୍ ଉପରେ ଓଲଟି ପଡ଼ିଲା। ଏହି ଘଟଣାରେ ଜଣେ ପଦଚାରୀ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣା ସମୟରେ ପଥ ଚାରୀ ଫ୍ଲାଏଓଭର ଉପରେ ଚାଲୁଥିଲେ। ପୋଲିସ ସୂତ୍ର ଅନୁଯାୟୀ, କାରଟି ରିମାଂଶୁ ରାତାରିଆ ନାମକ ଜଣେ ଯୁବକ ଚଳାଉଥିଲେ। ସେ କାର ଉପରୁ ନିୟନ୍ତ୍ରଣ ହରାଇ ପ୍ରଥମେ ଜଣେ ପଥଚାରୀଙ୍କୁ ଧକ୍କା ଦେଇଥିଲେ, ଯାହା ପରେ କାରଟି ଓଲଟି ପଡ଼ିଲା। ପଥଚାରୀଙ୍କ ମୁଣ୍ଡରେ ଆଘାତ ଲାଗିଛି। ଆହତ ବ୍ୟକ୍ତିଙ୍କୁ ପ୍ରଥମେ ସ୍ଥାନୀୟ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଏସ୍ଏସ୍କେଏମ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।
ପୋଲିସ ଜଣାଇଛି ଯେ ଅଭିଯୁକ୍ତ ଡ୍ରାଇଭରଙ୍କ ସହ କାରରେ ଆଉ ଦୁଇଜଣ ଯୁବତୀ ଥିଲେ। ଦୁର୍ଘଟଣା ପରେ ସେମାନେ ଘଟଣାସ୍ଥଳରୁ ପଳାଇ ଯାଇଥିଲେ। ଦୁର୍ଘଟଣା ସମୟରେ ସେମାନେ ମଦ୍ୟପାନ କରିଥିବାର ସନ୍ଦେହ କରାଯାଉଛି। ପ୍ରାଥମିକ ଭାବରେ, ପୋଲିସ ସନ୍ଦେହ କରୁଛି ଯେ ଡ୍ରାଇଭର ରିମାଂଶୁ ରାତାରିଆ ମଦ୍ୟପାନ କରି ଗାଡି ଚଳାଉଥିଲେ। ଡ୍ରାଇଭରଙ୍କୁ ଇତିମଧ୍ୟରେ ଗିରଫ କରାଯାଇଛି। ତେବେ, ତାଙ୍କୁ ଆହତ ଅବସ୍ଥାରେ ଏକ ଘରୋଇ ହସ୍ପିଟାଲକୁ ମଧ୍ୟ ନିଆଯାଇଥିଲା। ସେଠାରୁ ଡିସଚାର୍ଜ ହେବା ପରେ ତାଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ପଠାଯାଇଥିଲା। କୋଲକାତା ଟ୍ରାଫିକ୍ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଫ୍ଲାଏଓଭରରୁ ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଉଛି। ପୋଲିସ ଜଣାଇଛି ଯେ ଅଭିଯୁକ୍ତ ଡ୍ରାଇଭର ବ୍ୟତୀତ, କାରରେ ଥିବା ଦୁଇ ଯୁବତୀଙ୍କୁ ଖୋଜିବା ପାଇଁ ତଲାସୀ ଆରମ୍ଭ କରାଯାଇଛି।
ଫ୍ଲାଏଓଭରରେ ଭୟାବହ ଦୁର୍ଘଟଣା: ଆହତ ପଥଚାରୀ, ଚାଳକ ଗିରଫ
By Charcha News











