ଜଳାତଙ୍କ ରୋଗମୁକ୍ତ ସହର ଗଠନ ପାଇଁ ସାମୂହିକ ବୁଲା କୁକୁର ଟିକାକରଣ କାର୍ଯ୍ୟର ଶୁଭାରମ୍ଭ :
ଭୁବନେଶ୍ୱର;ତା ୩୧ -୦୩ -୨୦୨୬ ରିଖ:ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି)ର ସ୍ୱଚ୍ଛ ସର୍ବେକ୍ଷଣରେ ଯୋଡିହେଲା ଆଉ ଏକ ଫର୍ଦ୍ଦ । ବିଏମ୍ ସି ହେବ ଜଳାତଙ୍କ ରୋଗ ମୁକ୍ତ ସହର । ଏହି ଉଦ୍ଦେଶ୍ୟରେ ଆଜିଠାରୁ ସମଗ୍ର ବିଏମ୍ ସି ଅଞ୍ଚଳରେ ଆରମ୍ଭ ହୋଇଛି ସାମୂହିକ ବୁଲା କୁକୁର ଟିକାକରଣ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମର ଆଜି ଶୁଭାରମ୍ଭ କରିଛନ୍ତି ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସ ଓ ବିଏମ୍ ସି କମିଶନର ଶ୍ରୀ ଚଞ୍ଚଳ ରାଣା । ବିଏମ୍ ସି ମୁଖ୍ୟାଳୟଠାରେ ଅନୁଷ୍ଠିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମାନନୀୟା ଡେପୁଟି ମେୟର ଶ୍ରୀମତୀ ମଂଜୁଲତା କହଁର, ପରିମଳ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଶ୍ରୀ ବିରଞ୍ଚି ନାରାୟଣ ମହାସୂପକାର, ଅତିରିକ୍ତ କମିଶନର ଶ୍ରୀ ରତ୍ନାକର ସାହୁ, ଶ୍ରୀ କୈଳାସ ଚନ୍ଦ୍ର ଦାସ, ଏବିସି ଡେପୁଟି କମିଶନର ଶ୍ରୀ ଅଶୋକ କୁମାର ଦାସ, ଏହି କାର୍ଯ୍ୟକ୍ରମର ନୋଡାଲ ଅଫିସର ଡାକ୍ତର ପ୍ରଶାନ୍ତ କୁମାର ଶିକା, ବିଏମ୍ ସି ପ୍ରାଣୀ ଚିକିତ୍ସକ ଡାକ୍ତର ଦେବି ପ୍ରସାଦ କୁଣ୍ଡ, ଡାକ୍ତର ଦୀପକ ବିନ୍ଧାଣୀ ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ କୁକୁର ଧରାଳି (ଡଗ୍ କ୍ୟାଚର) ଓ କର୍ମଚାରୀଙ୍କ ସହ ଟିମ୍ ବିଏମ୍ ସି ଉପସ୍ଥିତ ଥିଲେ । ଏହି ଅଭିଯାନରେ ସାମିଲ ହୋଇଥିବା ଗାଡିଗୁଡିକୁ ପତାକା ଦେଖାଇ ମାନନୀୟା ମେୟର ଓ କମିଶନର ଶୁଭାରମ୍ଭ କରିଛନ୍ତି । ଏଥିପାଇଁ ମୋଟ 15ଟି ଟିମ୍ ଗଠନ କରାଯାଇଛି । ଏହି ଟିମ୍ ଗୋଟିଏ ଗୋଟିଏ ଓ୍ୱାର୍ଡରେ ସଂପୂର୍ଣ୍ଣ ଭାବେ ଟିକାକରଣ କରିବା ପରେ ଅନ୍ୟ ଓ୍ୱାର୍ଡକୁ ଯିବେ ।
ରାବିସ୍ ବା ଜଳାତଙ୍କ ହେଉଛି ଏକ ମାରାତ୍ମକ ରୋଗ । ଜଳାତଙ୍କ ରୋଗ ହୋଇଥିବା ପାଗଳ କୁକୁର କାମୁଡିବା, ଆମ୍ପୁଡିବା କିମ୍ବା ଚାଟିବା ଦ୍ୱାରା ମଧ୍ୟ ଏହି ରୋଗ ବ୍ୟାପିଥାଏ । ଜାତୀୟ ଟିକାକରଣ ସହ ତାଳ ଦେଇ ଭୁବନେଶ୍ୱର ସହରକୁ ଜଳାତଙ୍କ ମୁକ୍ତ ସହର କରିବାକୁ ଯୋଜନା କରିଛି ବିଏମ୍ ସି । 2030 ସୁଦ୍ଧା ତିନୋଟି ପର୍ଯ୍ୟାୟରେ ସହରଗୁଡିକୁ ଜଳାତଙ୍କ ରୋଗମୁକ୍ତ କରିବା ପାଇଁ ଜାତୀୟ ଜଳାତଙ୍କ ନିୟନ୍ତ୍ରଣ କାର୍ଯ୍ୟକ୍ରମ (ଏନଆରସିପି) ଲକ୍ଷ୍ୟ ରଖିଛନ୍ତି ।
ଏଥିପାଇଁ ବିଏମ୍ ସି ପକ୍ଷରୁ ଗତ ଜାନୁଆରୀ 16, 2026ରେ ଭୁବନେଶ୍ୱର ମହାନଗର ନିଗମ, ବୈଷୟିକ ସହାୟତା ପାଇଁ ମିଶନ ରାବିସ୍ ଆଣ୍ଡ ଡବ୍ଲ୍ୟୁଭିଏସ୍ ଇଣ୍ଡିଆ ଏବଂ ବୈଜ୍ଞାନିକ ପରାମର୍ଶ ପାଇଁ ଓୟୁଏଟି ମଧ୍ୟରେ ଏକ ତ୍ରିପାକ୍ଷିକ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଏନ୍.ଏ.ପି.ଆର୍.ଇ. ନିର୍ଦ୍ଦେଶାବଳୀ ଅନୁଯାୟୀ ଏକ କମିଟି ଗଠନ କରାଯାଇଛି ଏବଂ 13 ମାର୍ଚ୍ଚ 2026 ରେ ଏହାର ବୈଠକ ବସିଥିଲା । ସେଥିରେ ଜଳାତଙ୍କ ରୋଗ ମୁକ୍ତ ସହର ଗଠନ ପାଇଁ ମାର୍ଗଦର୍ଶୀକା ପ୍ରସ୍ତୁତ କରାଯାଇଅଛି ଏବଂ ସାମୂହିକ କୁକୁର ଟିକାକରଣ ଅଭିଯାନ ପାଇଁ ପ୍ରସ୍ତୁତ ମାନକ ପରିଚାଳନା ପଦ୍ଧତି (ଏସ୍ଓପି) କମିଟିର ଅନୁମୋଦନ ଲାଭ କରିଅଛି । ଟେଣ୍ଡର ପ୍ରକ୍ରିୟା ମାଧ୍ୟମରେ ଚୟନ ହୋଇଥିବା ଏଜେନ୍ସି ଏହା କାର୍ଯ୍ୟକାରୀ କରିବ ।
ସାମୂହିକ କୁକୁର ଟିକାକରଣ (ଏମ୍. ଡି. ଭି.) କାର୍ଯ୍ୟ ସମଗ୍ର ମହାନଗର ନିଗମ ଅଂଚଳର ଗଳିକନ୍ଦିରେ କରିବା ପାଇଁ 75ରୁ 90 ଦିନ ଲାଗିବ । ବୁଲା କୁକୁରଙ୍କୁ ଡଗ୍ କ୍ୟାଚରମାନେ ଜାଲ କିମ୍ବା ହାତରେ ଧରି ଜଳାତଙ୍କ ପ୍ରତିଶେଧକ ଟିକା ପ୍ରଦାନ କରିବେ । ଟିକା ଦିଆଯାଇଥିବା କୁକୁରମାନଙ୍କୁ ଚିହ୍ନଟ କରିବା ପାଇଁ ଅଣ-ବିଷାକ୍ତ ଜୈବିକ ମାର୍କ ବ୍ୟବହାର କରାଯିବ । ମିଶନ୍ ରାବିସ୍-ଡବ୍ଲୁଭିଏସ୍ ଦ୍ୱାରା ବିକଶିତ ମୋବାଇଲ୍ ଆପ୍ ମାଧ୍ୟମରେ ରିଅଲ୍ ଟାଇମ୍ ତଥ୍ୟ ସଂଗ୍ରହ, ଟିକାକରଣ ପରେ କୁକୁରମାନଙ୍କୁ ସେମାନଙ୍କ ସ୍ଥାନରେ ଛାଡ଼ିବା ଆଦି କାର୍ଯ୍ୟ କରାଯିବ ।
ଟିକାକରଣ ପରବର୍ତ୍ତୀ ରଣନୀତି ପାଇଁ ମଧ୍ୟ କେତେକ ପଦକ୍ଷେପ ନିଆଯାଇଛି । କୁକୁରମାନଙ୍କ ଶରୀରରେ ଏକ ସଶକ୍ତ ପ୍ରତିରୋଧ ଶକ୍ତି ବୃଦ୍ଧି କରିବା ପାଇଁ ସର୍ବନିମ୍ନ 70 ପ୍ରତିଶତ ଟିକାରଣ କରାଯିବାର ଆବଶ୍ୟକତା ରହିଛି । ଚଳିତ ବର୍ଷ ଏମ୍. ଡି. ଭି. ମାଧ୍ୟମରେ ପାଖାପାଖି 37 000 ଏବଂ ଏବିସି ମାଧ୍ୟମରେ ପାଖାପାଖି 3000 (ଏପ୍ରିଲରୁ ଜୁନ) ଏପରି ମୋଟ 40 ହଜାର କୁକୁରଙ୍କୁ ଟିକାକରଣ କରିବା ପାଇଁ ଯୋଜନା କରାଯାଇଛି । ଟିକା ଦିଆଯାଇଥିବା ବୁଲା କୁକୁରଙ୍କ ଶରୀରରେ କେତେ ପରିମାଣର ଆଣ୍ଟିବଡି ସ୍ତର ସୃଷ୍ଟି ହୋଇଛି, ତାହା ସେରୋ-ସର୍ଭେଲାନ୍ସ ଜରିଆରେ ନମୁନା ସଂଗ୍ରହ କରି କେଭିଏଏଫ୍ଏସ୍ ୟୁ-ସିଭିଏ ରାବିସ୍ ଡାଇଗ୍ନୋଷ୍ଟିକ୍ ଲାବୋରେଟୋରୀ, ବାଙ୍ଗାଲୋର ଭେଟେରିନାରୀ କଲେଜକୁ ପରୀକ୍ଷା ପାଇଁ ପଠାଯିବ । କାରଣ ବାଙ୍ଗାଲୋର ଭେଟେରିନାରୀ କଲେଜ ହେଉଛି ଭାରତର ଏକମାତ୍ର ବିଶ୍ୱ ପ୍ରାଣୀ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଓଏଏଚ୍)-ପଶୁ ରାବିସ୍ ପାଇଁ ପ୍ରମାଣିତ ସନ୍ଦର୍ଭ ପରୀକ୍ଷାଗାର ।
ଏହାର ପ୍ରମୁଖ ବୈଶିଷ୍ଟ୍ୟଗୁଡିକ ହେଉଛି ଯେ ଏହି ଜଳାତଙ୍କ ରୋଗ ମୁକ୍ତ ସହର ଗଠନ ତଥା ସାମୂହିକ ବୁଲା କୁକୁର ଟିକାକରଣ ପାଇଁ ସମସ୍ତ ସରକାରୀ ନୀତି, ବୈଜ୍ଞାନକ ପଦ୍ଧତି ଏବଂ ପଶୁ କଲ୍ୟାଣ ମାନଦଣ୍ଡକୁ ସୁରକ୍ଷିତ ରଖାଯାଉଛି । ମାନକ ପରିଚାଳନା ପଦ୍ଧତି (ଏସଓପି)କୁ ସିଟି ରାବିସ୍ ଟାସ୍କ ଫୋର୍ସ (ଭୁବନେଶ୍ୱର), ମିଶନ ରାବିସ୍ (ଡବ୍ଲ୍ୟୁଭିଏସ୍ ଇଣ୍ଡିଆ), ପଶୁ ଚିକିତ୍ସା ବିଜ୍ଞାନ ଏବଂ ପଶୁପାଳନ କଲେଜ (ସିଭିଏସ୍ ସି) ଦ୍ୱାରା ସ୍ୱୀକୃତି ଦିଆଯାଇଛି । ଓ. ୟୁ. ଏ. ଟି., ଭୁବନେଶ୍ୱର ସି. ଭି. ଏସ୍. ସି. ର ଭେଟେରିନାରୀ ଇଣ୍ଟର୍ଣ୍ଣମାନଙ୍କ ଦ୍ୱାରା ସମୟ ସମୟରେ ଟିକାକରଣ ପ୍ରକ୍ରିୟା ଉପରେ ନଜର ରଖାଯିବ ଏବଂ ବ୍ୟବହୃତ ଟିକା ଅତ୍ୟନ୍ତ ପ୍ରଭାବଶାଳୀ, ନିରାପଦ ଓ ଶକ୍ତିଶାଳୀ ଆଣ୍ଟିବଡି ସ୍ତର ସୃଷ୍ଟିକରିବାରେ ସକ୍ଷମ ବୋଲି କୁହାଯାଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଯେ, ଟିକାକରଣ ପାଇଁ ଚୟନ କରାଯାଇଥିବା ଏଜେନ୍ସିର ସାମୂହିକ ବୁଲା କୁକୁର ଟିକାକରଣ କାର୍ଯ୍ୟକ୍ରମରେ ପୂର୍ବ ଅଭିଜ୍ଞତା ରହିଛି ଏବଂ ଏହା ଭାରତୀୟ ପଶୁ କଲ୍ୟାଣ ବୋର୍ଡ (ଏଡବ୍ଲ୍ୟୁଡିଭି)ଦ୍ୱାରା ସ୍ୱୀକୃତିପ୍ରାପ୍ତ ସଂସ୍ଥା ।
ଏହି ସାମୂହିକ ବୁଲା କୁକୁର ଟିକାକରଣ କାର୍ଯ୍ୟରେ ଜନସାଧାରଣ ସହଯୋଗ କରିବା ପାଇଁ ମାନନୀୟା ମେୟର ଓ କମିଶନର ସମସ୍ତଙ୍କୁ ନିବେଦନ କରିଛନ୍ତି ।
ଚର୍ଚ୍ଚା news












