ଭୁବନେଶ୍ୱର ତା. 3..୪ 2026 :: ଆଜି ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ମହିଳା କଂଗେୟସର ଏକ ସ୍ୱତନ୍ତ୍ର କମିଟି ସହ ଅନୁଗୋଳ ପୋଲିସ ହାବିଲଦାର ସୁନିତା ବିଶ୍ୱାଳଙ୍କୁ ନ୍ୟାୟ ଦାବିରେ ଅନୁଗୋଳ ଏସପିଙ୍କୁ ସାକ୍ଷାତ କରିବାପାଇଁ ଅନୁଗୋଳ ଯାଇଥିଲେ । ଏସପିଙ୍କୁ ପୂର୍ବରୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଉପସ୍ଥିତ ରହିଲେ ନାହିଁ । ଏଣୁ ଏହି ଟିମ ଅତିରିକ୍ତ ଏସପିଙ୍କୁ ସାକ୍ଷାତ କରି ସୁନିତା ବିଶ୍ୱାଳଙ୍କୁ ନ୍ୟାୟ ଦେବାପାଇଁ କ’ଣ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ପ୍ରଶ୍ନ କରିଥିଲେ । ଅତିରିକ୍ତ ଏସପି ଉତ୍ତର ଦେଇଥିଲେ ଯେ ସୁନିତା ବିଶ୍ୱାଳ ଉପଯୁକ୍ତ ମାଧ୍ୟମରେ ନ୍ୟାୟ ପାଇଁ ଆବେଦନ କରିନାହାନ୍ତି । ଏହି କଥା ଏଠାରେ ଉପସ୍ଥିତ ମହିଳା କଂଗ୍ରେସ ନେତୃବର୍ଗ ଓ ଜିଲ୍ଲା କଂଗ୍ରେସ ନେତୃବର୍ଗଙ୍କୁ ଚକିତ କରିଥିଲା । ଗୋଟିଏ ପଟେ ଏସପି ଗଣମାଧ୍ୟମରେ କହୁଛନ୍ତି ଯେ ସୁନିତା ବିଶ୍ୱାଳଙ୍କୁ ନ୍ୟାୟ ଦେବାପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି ଅନ୍ୟପଟେ ଆଡିସନାଲ ଏସପି ଏହି ପ୍ରସଙ୍ଗକୁ ଆସିବାପାଇଁ ରାଜି ନୁହନ୍ତି । ଆଡିସନାଲ ଏସପିଙ୍କ କଥାବାତ୍ତାରୁ ସ୍ପଷ୍ଟ ହେଲାଯେ ଅନୁଗୋଳ ପୋଲିସ ସୁନିତାଙ୍କୁ ନ୍ୟାୟ ଦେବାପାଇଁ କୌଣସି କାର୍ଯାନୁଷ୍ଠାନ ସଠିକ ଭାବେ ନେଇନାହାନ୍ତି । ଏଣୁ ମହିଳା କଂଗ୍ରେସ ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ସହ ଆଲୋଚନା କରି ସୁନିତା ବିଶ୍ୱାଳଙ୍କୁ ନ୍ୟାୟ ଦେବାପାଇଁ ଡିଜିପିଙ୍କୁ ସାକ୍ଷାତ କରିବାକୁ ସ୍ଥିର କରିଛି ।
ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ କହିଛନ୍ତି ଯେ ହାବିଲଦାର ସୁନିତା ବିଶ୍ୱାଳଙ୍କ ଅଭିଯୋଗ କେବଳ ଅନୁଗୁଳ ଜିଲ୍ଲା ପୋଲିସ ନୁହେଁ ସମଗ୍ର ଓଡ଼ିଶାର ପୋଲିସ ପ୍ରଶାସନ ପାଇଁ ଏକ ଲଜ୍ଜା । କର୍ମକ୍ଷେତ୍ରରେ ସେ କିଭଳି ଅସୁରକ୍ଷିତ ଥିଲେ ସେ କଥା ସେ ଅତି ବେଦନାର ସହ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି । ଦିନେ ନୁହେଁ ଦୁଇ ଦିନ ନୁହେଁ ବର୍ଷ ବର୍ଷ ଧରି ତାଙ୍କୁ ନିର୍ଯାତନା, ଅପମାନ ଓ ଲାଞ୍ଛନା ଦିଆଯାଇଛି ।
ଜଣେ ମହିଳା ଅତ୍ୟାଚାରିତ ହେଲେ, ପୀଡ଼ିତ ହେଲେ ବା ଆକ୍ରମଣର ଶିକାର ହେଲେ ଥାନାରେ ଗୁହାରି କରିଥାଏ ଏବଂ ପୋଲିସ ଠାରୁ ନ୍ୟାୟ ପାଇଁ ଆଶା ରଖିଥାଏ । ଏଠିତ ବାଡ଼ ଫସଲ ଖାଉଛି । ତେଣୁ ଘଟଣାର ବିଚାରବିଭାଗୀୟ ତଦନ୍ତର ଆବଶ୍ୟକତା ରହିଛି ।
କର୍ମଚାରୀ ଗୋବିନ୍ଦ ମାହାରୀ ଏବଂ ଶୁଭକାନ୍ତ ସାହୁ ତାଙ୍କ ପ୍ରତି ଯେଉଁ ଅତ୍ୟାଚାର କରିଛନ୍ତି ସେ ସ୍ପଷ୍ଟ ଭାବରେ ଗଣମାଧ୍ୟମରେ ତାହା ପ୍ରକାଶ କରିଛନ୍ତି । କାନ୍ଦି କାନ୍ଦି ନିଜର ଦୁଃଖ କାହାଣିକୁ ବଖାଣିଛନ୍ତି । ଗୃହ ବିଭାଗର ମୁଖ୍ୟ ଡିଜିପି, ଗୃହ ସଚିବ ଏବଂ ମୁଖ୍ୟମନ୍ତ୍ରୀ ଏ ପ୍ରସଙ୍ଗକୁ ନେଇ ମୁହଁ ଖୋଲିନାହାନ୍ତି । ମୁଖ୍ୟମନ୍ତ୍ରୀ ହେଉଛନ୍ତି ଗୃହ ବିଭାଗର ମନ୍ତ୍ରୀ । ଗୃହ ବିଭାଗ କିପରି ଚାଲିଛି ତାହା ଏଥିରେ ସ୍ପଷ୍ଟ ହୋଇପଡ଼ୁଛି । କେବଳ ଅନୁଗୁଳ ନୁହେଁ ଓଡ଼ିଶାର ସବୁ ଜିଲ୍ଲାରେ ମହିଳା ପୋଲିସଙ୍କର ଅବସ୍ଥା କଣ ତାହା ମଧ୍ୟ ସଠିକ ଭାବେ ବୁଝିବାକୁ ମୁଖ୍ୟମନ୍ତ୍ରୀ ଉଦ୍ୟମ କରନ୍ତୁ । ମହିଳା ସୁରକ୍ଷା କଥା କୁହାଯାଉଛି । ମହିଳାଙ୍କୁ ଯେଉଁ ପୋଲିସ ସୁରକ୍ଷା ଦେବାକଥା, ସେଇ ବିଭାଗରେ ମହିଳା ଅତ୍ୟାଚାରିତ । ଆଜିର କାର୍ଯ୍ୟକ୍ରମରେ ମିନାକ୍ଷୀ ବାହିନୀପତିଙ୍କ ସହ ମହିଳା କଂଗ୍ରେସ ଉପସଭାନେତ୍ରୀ ଶ୍ରୀମତୀ ଜୟଶ୍ରୀ ପଟ୍ଟନାୟକ, ସସ୍ମିତା ବେହେରା, ଜୟସ୍ମିତା ମହାନ୍ତି, ଶାନ୍ତିଲତା ବେହେରା ତଥ୍ୟ ଅନୁସନ୍ଧାନ ଦଳରେ ରହିଥିଲା ବେଳେ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ସୁନିଲ ପ୍ରଧାନ, ଅମ୍ବିକା ଭଟ୍ଟ, ବିଜୟାନନ୍ଦ ଚାଉଳିଆ, ରାଜୁ ସାହୁ, ଦିଗାମ୍ବର ଗଡ଼ନାୟକ, ସୁନିତା ପ୍ରଧାନ, ବନବିହାରୀ ପ୍ରଧାନ, ଜିତେନ୍ଦ୍ର ସାହୁ, ତପନ ପ୍ରଧାନ, ରାକେଶ ମିଶ୍ର, ବିନୋଦ ମାଝୀ, ଜଗଦାନନ୍ଦ ପ୍ରଧାନ, ଅଳକା ମହାପାତ୍ର, ଅଳକା ମହାନ୍ତି, ମାନିନୀ ପ୍ରଧାନ, ଲିଲି ବେହେରା, ପଦ୍ମିନୀ ଗଡ଼ନାୟକ ପ୍ରମୁଖ ଯୋଗଦେଇଥିଲେ ।
ଚର୍ଚ୍ଚା NEWS












