ଉଦଳା : (ରାଜୀବ କୁମାର ବେହେରା)
ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅଧୀନ ସୋଲଗଡ଼ିଆ ଅଞ୍ଚଳରେ ଗତକାଲି ରାତ୍ର ସମୟରେ ଆଇନ-ଶୃଙ୍ଖଳାକୁ ସିଧାସଳଖ ଚ୍ୟାଲେଞ୍ଜ କରି ଏକ ଦୁସ୍ସାହସିକ ଲୁଟ ଘଟଣା ଘଟିଛି। ଶାଳଚୁଆ ସାପ୍ତାହିକ ହାଟ ସାରି ଉଦଳା ଅଭିମୁଖେ ବାଇକ୍ରେ ଫେରୁଥିବା ବେଳେ ହରିଶ ରଣାଙ୍କୁ ୬ ଜଣ ଦୁର୍ବୁତ୍ତ ସୋଲଗଡ଼ିଆ ନିକଟରେ ଅଟକାଇଥିଲେ।
ସୂଚନା ଅନୁସାରେ, ଦୁର୍ବୁତ୍ତମାନେ ପୂର୍ବ ଯୋଜନା ଅନୁଯାୟୀ ହଠାତ୍ ବନ୍ଧୁକ ଫୁଟାଇ ଘଟଣାସ୍ଥଳରେ ଭୟଙ୍କର ଆତଙ୍କ ସୃଷ୍ଟି କରିଥିଲେ। ତଦନନ୍ତରେ ବାଇକ୍ଟିକୁ ଅଟକାଇ ପୀଡ଼ିତଙ୍କ ନିକଟରେ ଥିବା ଗହଣା ଭର୍ତ୍ତି ବ୍ୟାଗ ଛିନି ନେଇ ସେମାନେ ମହୁର୍ତ୍ତ ମଧ୍ୟରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଏହି ଘଟଣାରେ ଅଞ୍ଚଳ ଜୁଡ଼ା ଭୟ ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଥିଲା।
ପୀଡ଼ିତ ହରିଶ ରଣାଙ୍କ କହିବା ଅନୁସାରେ, ଲୁଟ ହୋଇଥିବା ଗହଣାର ମୂଲ୍ୟ ଆନୁମାନିକ ୩ ରୁ ୪ ଲକ୍ଷ ଟଙ୍କା। ଘଟଣା ପରେ ସେ କପ୍ତିପଦା ଥାନାରେ ଏକ ଲିଖିତ ଅଭିଯୋଗ ଦାଖଲ କରିଥିବା ବେଳେ, ପୋଲିସ ମାମଲା ରୁଜୁ କରି ତତ୍କ୍ଷଣାତ୍ ତଦନ୍ତ ଆରମ୍ଭ କରିଛି।
ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି କପ୍ତିପଦା ପୋଲିସ ଘଟଣାସ୍ଥଳକୁ ପହଞ୍ଚି ପାଖାପାଖି ଅଞ୍ଚଳର ସିସିଟିଭି ଫୁଟେଜ୍, ସ୍ଥାନୀୟ ଲୋକଙ୍କ ବିବୃତ୍ତି ଓ ଅନ୍ୟାନ୍ୟ ପ୍ରମାଣ ସଂଗ୍ରହ କରୁଛି। ଦୁର୍ବୁତ୍ତମାନଙ୍କ ଚିହ୍ନଟ ଓ ଗିରଫ ପାଇଁ ବିଭିନ୍ନ ଦିଗରୁ ତଦନ୍ତ ଜାରି ରହିଛି।
ଏହି ଦୁସ୍ସାହସିକ ଲୁଟ ଘଟଣା ପରେ ଅଞ୍ଚଳବାସୀଙ୍କ ମଧ୍ୟରେ ଗଭୀର ଭୟ ଓ ଅସୁରକ୍ଷାର ଭାବ ଦେଖାଦେଇଛି। ରାତି ସମୟରେ ପୋଲିସ ପେଟ୍ରୋଲିଂ ବଢ଼ାଇବା ସହ ଅପରାଧୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି।












