ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀଙ୍କ କାଲିଘାଟ ବାସଭବନ ଏବଂ ରାଜ୍ୟ ସଚିବାଳୟ, ନବାନ୍ନାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି
BY-SUBHASMITA-5.4.2026
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଟିଏମସିର ଭାରୀ ପରାଜୟ ପରେ ଆଜି ଅପରାହ୍ନ ୪ଟାରେ ସାମ୍ବାଦିକ ସମ୍ମିଳନୀ କରିବେ ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ। ତାଙ୍କ ସହ ଟିଏମସିର ଜାତୀୟ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ ମଧ୍ୟ ଉପସ୍ଥିତ ରହିବେ। ନିର୍ବାଚନ ଫଳାଫଳ ପରେ ଦଳର ପ୍ରଥମ ବଡ଼ ପ୍ରତିକ୍ରିୟା ଥିବାରୁ ଏହି ପ୍ରେସମିଟ୍କୁ ନେଇ ଚର୍ଚ୍ଚା ବଢ଼ିଛି।
ମମତା ବାନାର୍ଜୀଙ୍କ କାଲିଘାଟ ବାସଭବନ ଏବଂ କୋଲକାତାର ନବାନ୍ନ ସଚିବାଳୟ ଚାରିପାଖରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। କିଛି ଲୋକ ‘ଜୟ ଶ୍ରୀ ରାମ’ ସ୍ଲୋଗାନ ଦେବା ପରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ନିର୍ବାଚନ କମିସନ ପକ୍ଷରୁ ଏହି ସୁରକ୍ଷା ବ୍ୟବସ୍ଥା କରାଯାଇଛି। ବାସଭବନ ଓ ସଚିବାଳୟ ନିକଟରେ ପୁଲିସ ଓ ସୁରକ୍ଷାବଳ ମୁତୟନ କରାଯାଇଛି।
ପଶ୍ଚିମବଙ୍ଗରେ ବିଜେପି ୨୦୬ଟି ଆସନ ଜିତି ଐତିହାସିକ ବିଜୟ ହାସଲ କରିଥିବାବେଳେ ଟିଏମସି ବଡ଼ ପରାଜୟର ସମ୍ମୁଖୀନ ହୋଇଛି। ଫଳାଫଳ ସ୍ପଷ୍ଟ ହେବା ପରେ ରାଜ୍ୟର ରାଜନୀତିକ ପରିବେଶ ଗରମ ହୋଇଯାଇଛି।
ପଶ୍ଚିମବଙ୍ଗର ମୁଖ୍ୟ ସଚିବ ଦୁଷ୍ୟନ୍ତ ନାରିଆଲା ସମସ୍ତ ବିଭାଗ ମୁଖ୍ୟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ବିନା ଅନୁମତିରେ କୌଣସି ସରକାରୀ କାଗଜପତ୍ର ହଟାଯିବ ନାହିଁ, ନଷ୍ଟ କରାଯିବ ନାହିଁ କିମ୍ବା ନକଲ କରାଯିବ ନାହିଁ। ପ୍ରଶାସନ ପକ୍ଷରୁ ସମସ୍ତ ଦଲିଲ ସୁରକ୍ଷିତ ରଖିବାକୁ କଡ଼ା ନଜର ରଖାଯାଇଛି ଭବାନୀପୁର ଆସନରେ ପରାଜୟ ପରେ ମମତା ବାନାର୍ଜୀ ପୂର୍ବରୁ ନିର୍ବାଚନ କମିସନ ଓ ବିଜେପି ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଥିଲେ। ଆଜିର ପ୍ରେସମିଟ୍ରେ ସେ କେଉଁ ବଡ଼ ଘୋଷଣା କରିବେ, ତାହାକୁ ନେଇ ସମସ୍ତଙ୍କ ନଜର ରହିଛି ।
ଚର୍ଚ୍ଚା news












