ଶନିବାର ସକାଳେ ଜନ୍ତର-ମନ୍ତର ଅନଶନର ପ୍ରମୁଖ ମୁହଁ ସୋନମ ୱାଙ୍ଗଚୁକଙ୍କୁ ଅସୁସ୍ଥତା କାରଣରୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦିଲ୍ଲୀ ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ସୋମବାର ପ୍ରସ୍ତାବିତ ସଂସଦ ମାର୍ଚ୍ଚ ପାଇଁ ଅନୁମତି ଦିଆଯାଇନାହିଁ। ମୌସୁମୀ ଅଧିବେଶନ ସୁରୁଖୁରୁରେ ଚାଲିବା ଲକ୍ଷ୍ୟରେ ଆଜି ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେଉଛି।ଆଖପାଖ ଅଞ୍ଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଜନ୍ତର-ମନ୍ତରରେ ଚାଲିଥିବା ଅନଶନ ଏବଂ କକରୋଜ୍ ଜନତା ପାର୍ଟି ପକ୍ଷରୁ ସଂସଦ ଅଭିମୁଖେ ପଦଯାତ୍ରା ଘୋଷଣାକୁ ଦୃଷ୍ଟିରେ ରଖି ସଂସଦ ପରିସର ଆଖପାଖରେ ଧାରା ୧୬୩ ଲାଗୁ କରାଯାଇଛି।
ଶନିବାର ସକାଳେ ଜନ୍ତର-ମନ୍ତର ଅନଶନର ପ୍ରମୁଖ ମୁହଁ ସୋନମ ୱାଙ୍ଗଚୁକଙ୍କୁ ଅସୁସ୍ଥତା କାରଣରୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
କକରୋଜ୍ ଜନତା ପାର୍ଟି ପକ୍ଷରୁ ପ୍ରସ୍ତାବିତ ସଂସଦ ମାର୍ଚ୍ଚକୁ ଅନୁମତି ଦିଆଯାଇନାହିଁ। ଦିଲ୍ଲୀ ପୁଲିସ ସୂଚନା ଅନୁସାରେ, ଏପର୍ୟ୍ୟନ୍ତ ଏହି ମାର୍ଚ୍ଚ ପାଇଁ କକରୋଜ୍ ଜନତା ପାର୍ଟି ପକ୍ଷରୁ କୌଣସି ଆନୁଷ୍ଠାନିକ ଅନୁମତି ଆବେଦନ କରାଯାଇନାହିଁ। ପୁଲିସ ପକ୍ଷରୁ ଏକାଧିକ ଥର କକରୋଜ୍ ଜନତା ପାର୍ଟି ପ୍ରତିନିଧିଙ୍କୁ ସେମାନଙ୍କ ଯୋଜନା ସମ୍ପର୍କରେ ପଚରାଯାଇଥିଲେ ମଧ୍ୟ ସେମାନେ କୌଣସି ସ୍ପଷ୍ଟ ସୂଚନା ଦେଇନଥିଲେ। ସୋମବାରଠାରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେଉଥିବାରୁ ସଂସଦ ପରିସର ନିକଟରେ କୌଣସି ପ୍ରକାରର ମାର୍ଚ୍ଚ କିମ୍ବା ବିକ୍ଷୋଭକୁ ଅନୁମତି ଦିଆଯିବ ନାହିଁ ବୋଲି ପୁଲିସ ସ୍ପଷ୍ଟ କରିଛି।
ସଂସଦ ମାର୍ଚ୍ଚକୁ ଅନୁମତି ନମିଳିଥିଲେ ମଧ୍ୟ ବିକ୍ଷୋଭକାରୀମାନେ ସଂସଦ ଅଭିମୁଖେ ଅଗ୍ରସର ହେବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୁଲିସ ପକ୍ଷରୁ ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସହ ବହୁସ୍ତରୀୟ ବ୍ୟାରିକେଡିଂ କରାଯାଇଛି। ଜନ୍ତର-ମନ୍ତରରୁ ସଂସଦର ଦୂରତା ମାତ୍ର ୫୦୦ ମିଟର ହୋଇଥିବାରୁ ସୁରକ୍ଷାକୁ ଆହୁରି କଡ଼ାକଡ଼ି କରାଯାଇଛି। ଦିଲ୍ଲୀ ପୁଲିସ ସହ ଅର୍ଦ୍ଧସାମରିକ ବଳର ବହୁ ସଂଖ୍ୟକ ଯବାନଙ୍କୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକରେ ମୁତୟନ କରାଯାଇଛି।
ମୌସୁମୀ ଅଧିବେଶନକୁ ନଜରରେ ରଖି ସମସ୍ତ ସାଂସଦଙ୍କୁ ଅନୁରୋଧ କରାଯାଇଛି ଯେ, ସଂସଦ ପରିସରକୁ କୌଣସି ଧାର୍ମିକ ଆଚାର-ଅନୁଷ୍ଠାନ, ବିକ୍ଷୋଭ, ଧାରଣା, ହଡ଼ତାଳ କିମ୍ବା ଉପବାସ ପାଇଁ ବ୍ୟବହାର ନକରନ୍ତୁ। ଏହାସହ ସାଂସଦମାନଙ୍କୁ ସଂସଦ ଭିତରକୁ ପୋଷ୍ଟର, ପ୍ଲାକାର୍ଡ, ବ୍ୟାନର ଆଦି ନଆଣିବାକୁ ମଧ୍ୟ କୁହାଯାଇଛି। କାରଣ, କିଛି ପୋଷ୍ଟର, ପ୍ଲାକାର୍ଡ ଓ ବ୍ୟାନରରେ କୃତ୍ରିମ ବୁଦ୍ଧିମତା ମାଧ୍ୟମରେ ପ୍ରସ୍ତୁତ ଆପତ୍ତିଜନକ ଚିତ୍ର ଓ ସ୍ଲୋଗାନ ବ୍ୟବହୃତ ହେଉଥିବା ନେଇ ସୂଚନା ମିଳିଛି।
ସଂସଦ ପରିସର ଆଖପାଖରେ ବିଏନଏସଏସର ଧାରା ୧୬୩ ଲାଗୁ କରାଯାଇଛି। ଏହି ବ୍ୟବସ୍ଥା ଅନୁଯାୟୀ ସେହି ଅଞ୍ଚଳରେ ଲୋକଙ୍କ ଭିଡ଼ ଜମା କରିବା ଉପରେ ପ୍ରତିବନ୍ଧକ ଲାଗିଛି। ଅନ୍ୟପଟେ, ନ୍ୟାସନାଲ କନଫରେନ୍ସ ପକ୍ଷରୁ ଜମ୍ମୁ-କଶ୍ମୀରକୁ ପୂର୍ଣ୍ଣ ରାଜ୍ୟର ମାନ୍ୟତା ଫେରାଇବା ଦାବିରେ ଜୁଲାଇ ୨୦ ତାରିଖରେ ଜନ୍ତର-ମନ୍ତରରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ଘୋଷଣା କରାଯାଇଛି। ତେବେ, ଏହି କାର୍ୟ୍ୟକ୍ରମ ପାଇଁ ଏପର୍ୟ୍ୟନ୍ତ ଦିଲ୍ଲୀ ପୁଲିସଙ୍କଠାରୁ କୌଣସି ଅନୁମତି ମଗାଯାଇନାହିଁ। ଦିଲ୍ଲୀ ପୁଲିସ ପକ୍ଷରୁ ପରିସ୍ଥିତି ଉପରେ କ୍ରମାଗତ ନଜର ରଖାଯାଉଛି। ଆଇନ-ଶୃଙ୍ଖଳା ପରିସ୍ଥିତିକୁ ସୁଚାରୁ ରଖିବା ପାଇଁ ସ୍ଥିତିର ସମୀକ୍ଷା କରି ଆବଶ୍ୟକ ପଦକ୍ଷେପ ଓ ନିଷ୍ପତ୍ତି ନିଆଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି ।
ଚର୍ଚ୍ଚା news












