ଉଦଳା, ରାଜୀବ କୁମାର ବେହେରା :
ଉଦଳା ସହରର ବିସ୍ଥାପିତ ଚିକେନ୍-ମଟନ୍ ମାର୍କେଟରେ ଦୀର୍ଘଦିନ ଧରି ଲାଗି ରହିଥିବା ଅବ୍ୟବସ୍ଥାକୁ ନେଇ ମାଂସ ବ୍ୟବସାୟୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ପ୍ରଶାସନର ଅବହେଳା ବିରୋଧରେ ସୋମବାର ସମସ୍ତ ଚିକେନ୍ ଓ ମଟନ୍ ବ୍ୟବସାୟୀ ବ୍ୟବସାୟ ସମ୍ପୂର୍ଣ୍ଣ ବନ୍ଦ କରି ଆରଏମସି କାର୍ଯ୍ୟାଳୟରେ ତାଲା ପକାଇ ପ୍ରତିବାଦ କରିଛନ୍ତି।
ଅଭିଯୋଗ ଅନୁଯାୟୀ, ବ୍ୟବସାୟୀମାନଙ୍କୁ ପୁରୁଣା ବଜାରରୁ ବିସ୍ଥାପିତ କରାଯାଇଥିଲେ ମଧ୍ୟ ଉଦଳା NAC ୧୨ ନମ୍ବର ୱାର୍ଡ ରେ ନୂତନ ମାର୍କେଟରେ ପିଇବା ପାଣି, ଡ୍ରେନେଜ୍ ବ୍ୟବସ୍ଥା, ପକ୍କା ରାସ୍ତା ଓ ସ୍ୱଚ୍ଛ ପରିବେଶ ଭଳି ମୌଳିକ ସୁବିଧା ଯୋଗାଇ ଦିଆଯାଇନାହିଁ। ସାମାନ୍ୟ ବର୍ଷା ହେଲେ ମାର୍କେଟ ପରିସରରେ ଦୁଇରୁ ତିନି ଫୁଟ ପର୍ଯ୍ୟନ୍ତ ପାଣି ଜମି ରହୁଥିବାରୁ ଅତ୍ୟନ୍ତ ଅସ୍ୱାସ୍ଥ୍ୟକର ପରିବେଶରେ ବ୍ୟବସାୟ କରିବାକୁ ପଡ଼ୁଛି।
ବ୍ୟବସାୟୀମାନେ କହିଛନ୍ତି ଯେ, ବାରମ୍ବାର ଦାବିପତ୍ର ଓ ଅଭିଯୋଗ କରିଥିଲେ ମଧ୍ୟ ପ୍ରଶାସନ କୌଣସି ସ୍ଥାୟୀ ପଦକ୍ଷେପ ନେଇନାହିଁ। ଫଳରେ ବାଧ୍ୟ ହୋଇ ସେମାନେ ଆନ୍ଦୋଳନର ପଥ ବାଛିଛନ୍ତି।
ଏହି ଆନ୍ଦୋଳନର ପ୍ରଭାବରେ ଉଦଳା ସହରରେ ଚିକେନ୍ ଓ ମଟନ୍ ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଏଥିରୁ ସାଧାରଣ ଗ୍ରାହକମାନେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଏବେ ପ୍ରଶ୍ନ ଉଠୁଛି, ବ୍ୟବସାୟୀଙ୍କୁ ବିସ୍ଥାପିତ କରିବା ପରେ ସେମାନଙ୍କ ପାଇଁ ନ୍ୟୁନତମ ଭିତ୍ତିଭୂମି ସୁବିଧା ଯୋଗାଇବା କି ପ୍ରଶାସନର ଦାୟିତ୍ୱ ନୁହେଁ? ବ୍ୟବସାୟୀଙ୍କ ସମସ୍ୟାର ସମାଧାନ କେବେ ହେବ, ତାହା ଏବେ ସମସ୍ତଙ୍କ ନଜରରେ ରହିଛି।
ଉଦଳାରେ ମାଂସ ବ୍ୟବସାୟୀଙ୍କ ବିଦ୍ରୋହ! ଆରଏମସି କାର୍ଯ୍ୟାଳୟରେ ତାଲା, ସହରରେ ଚିକେନ୍-ମଟନ୍ ସଙ୍କଟ
By Charcha News












