ଉଦଳା, (ରାଜୀବ କୁମାର ବେହେରା): ମୟୁରଭଞ୍ଜ ଜିଲ୍ଲା ଶରତ ଥାନା ଅନ୍ତର୍ଗତ କେସପଡା ଗାଁରେ ଘଟିଥିବା ଏକ ଘଟଣା ବର୍ତ୍ତମାନ ସମାଜରେ ପରମ୍ପରା ଓ ବ୍ୟକ୍ତିଗତ ସ୍ୱାଧୀନତାକୁ ନେଇ ନୂଆ ବିତର୍କ ସୃଷ୍ଟି କରିଛି। ଜଣେ ପୁଅ ନିଜ ପିତାଙ୍କ ଶେଷକ୍ରିୟା ସମୟରେ ମଦ୍ୟପାନକୁ ପ୍ରୋତ୍ସାହନ ନ ଦେବା ପାଇଁ ହାଣ୍ଡିଆ ପରିବେଷଣ ନ କରିବାରୁ ତାଙ୍କ ପରିବାର ସାମାଜିକ ବହିଷ୍କାରର ସମ୍ମୁଖୀନ ହୋଇଥିବା ଅଭିଯୋଗ ହୋଇଛି।
ସୂଚନା ଅନୁସାରେ, କେସପଡା ଗାଁର ସଙ୍ଗ୍ରାମ ସୋରେନ ତାଙ୍କ ପିତା ରାମ ସୋରେନଙ୍କ ମୃତ୍ୟୁ ପରେ ସମସ୍ତ ପାରମ୍ପରିକ ରୀତିନୀତି ପାଳନ କରି ଶେଷକ୍ରିୟା ସମ୍ପନ୍ନ କରିଥିଲେ। ତେବେ ଭୋଜିରେ ହାଣ୍ଡିଆ ପରିବେଷଣ ନ କରିବାକୁ ନେଇ କିଛି ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଥିବା କୁହାଯାଉଛି।
ପରିବାରର ଅଭିଯୋଗ ଅନୁଯାୟୀ, ଏହାପରେ ସେମାନଙ୍କୁ ଗାଁର କୂଅ, ପୋଖରୀ ଓ ଟ୍ୟୁବୱେଲରୁ ପାଣି ନେବାକୁ ବାରଣ କରାଯାଇଛି। ଏପରିକି ଦୋକାନରୁ ଦୈନନ୍ଦିନ ସାମଗ୍ରୀ କିଣିବା ଏବଂ ଅନ୍ୟ ଗ୍ରାମବାସୀଙ୍କ ସହ ସାମାଜିକ ସମ୍ପର୍କ ରଖିବା ଉପରେ ମଧ୍ୟ ଅଘୋଷିତ କଟକଣା ଲଗାଯାଇଥିବା ଦାବି କରାଯାଇଛି।
ଘଟଣାକୁ ନେଇ ସଙ୍ଗ୍ରାମ ସୋରେନ ପୁଲିସର ଦ୍ୱାରସ୍ଥ ହେବା ପରେ ପୁଲିସ ଗାଁକୁ ଯାଇ ପ୍ରାଥମିକ ତଦନ୍ତ କରିଥିଲା। ସାମାଜିକ ବହିଷ୍କାର ଆଇନ ଦୃଷ୍ଟିରୁ ଗୁରୁତର ବିଷୟ ବୋଲି ସ୍ପଷ୍ଟ କରିବା ସହ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ପାଇଁ ପରାମର୍ଶ ଦେଇଥିବା ଜଣାପଡ଼ିଛି।
ଏହି ଘଟଣା ଏବେ ଏକ ବଡ଼ ପ୍ରଶ୍ନ ଉଠାଇଛି—ସମାଜରେ ପରମ୍ପରାର ସ୍ଥାନ ନିଶ୍ଚିତ ଭାବେ ରହିଛି, କିନ୍ତୁ ତାହା କି ବ୍ୟକ୍ତିଗତ ଚିନ୍ତାଧାରା ଓ ସ୍ୱାଧୀନତାଠାରୁ ବଡ଼? ମଦ୍ୟପାନ ବିରୋଧରେ ଜଣେ ବ୍ୟକ୍ତିଙ୍କ ନିଷ୍ପତ୍ତି ପାଇଁ ତାଙ୍କୁ ସାମାଜିକ ଭାବେ ଦଣ୍ଡିତ କରିବା କେତେଦୂର ଯୁକ୍ତିସଙ୍ଗତ, ତାହାକୁ ନେଇ ବିଭିନ୍ନ ମହଳରେ ଚର୍ଚ୍ଚା ଆରମ୍ଭ ହୋଇଛି।
ବୁଦ୍ଧିଜୀବୀ ମହଳର ମତ, ସଂସ୍କୃତି ଓ ପରମ୍ପରାର ସୁରକ୍ଷା ସହିତ ମାନବିକତା, ସହନଶୀଳତା ଓ ବ୍ୟକ୍ତିଗତ ଅଧିକାରକୁ ସମାନ ଗୁରୁତ୍ୱ ଦିଆଗଲେ ହିଁ ଏକ ସୁସ୍ଥ ସମାଜ ଗଠନ ସମ୍ଭବ ହେବ।
ପରମ୍ପରା ଓ ମାନବିକତା ମଧ୍ୟରେ ଫସିଛି ଏକ ପରିବାର
By Charcha News












