ଓଡ଼ିଶା ବିମାନ ଚଳାଚଳ କ୍ଷେତ୍ରରେ ବଡ଼ ନିଷ୍ପତ୍ତି। ୧୦ଟି ନୂଆ ରୁଟ୍କୁ ମିଳିଲା ଅନୁମୋଦନ। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୫ମ ଉଚ୍ଚସ୍ତରୀୟ କମିଟି ବୈଠକରେ ରାଜ୍ୟର ବିମାନ ଚଳାଚଳ କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।
BY_SUBHASMITA-DT-21.4.2026
୧୦ଟି ନୂଆ ବିମାନ ରୁଟ୍କୁ ଅନୁମୋଦନ ମିଳିଥିବାରୁ ଯାତାୟାତ ବ୍ୟବସ୍ଥା ଆହୁରି ସୁଦୃଢ଼ ହେବାକୁ ଯାଉଛି। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୫ମ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ସାମ୍ନାକୁ ଆସିଛି |Star Air ପକ୍ଷରୁ ପ୍ରସ୍ତାବିତ ଏହି ନୂଆ ରୁଟ୍ଗୁଡ଼ିକ ମଧ୍ୟରେ ଝାରସୁଗୁଡ଼ାରୁ ଅହମ୍ମଦାବାଦ, ଜୟପୁର ଓ ପୁଣେ ଭଳି ବଡ଼ ସହର ସହ ସଂଯୋଗ ସ୍ଥାପିତ ହେବ। ସେହିପରି ଭୁବନେଶ୍ୱରରୁ ତିରୁପତି ଓ ସୁରଟକୁ ସିଧା ବିମାନ ସେବା ଆରମ୍ଭ ହେବାର ଯୋଜନା ରହିଛି, ଯାହା ଯାତ୍ରୀମାନଙ୍କ ପାଇଁ ବହୁତ ସୁବିଧାଜନକ ହେବ।ପୁରୀରେ ପ୍ରସ୍ତାବିତ ଶ୍ରୀ ଜଗନ୍ନାଥ ଆନ୍ତର୍ଜାତୀୟ ବିମାନବନ୍ଦର ପାଇଁ Airports Authority of India ସହ ଆଲୋଚନା ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଛି। ଏହା ସହିତ ଝାରସୁଗୁଡ଼ା ଓ ରାଉରକେଲା ବିମାନବନ୍ଦରର ସମ୍ପ୍ରସାରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ୨୦୨୬ ମେ ମାସ ମଧ୍ୟରେ ଜମି ହସ୍ତାନ୍ତର ପ୍ରକ୍ରିୟା ଶେଷ କରିବାକୁ ଲକ୍ଷ୍ୟ ଧରାଯାଇଛି।ବୈଠକରେ Odisha Civil Aviation Policy 2022ର ସମୀକ୍ଷା କରାଯାଇ ଏହାର ଦ୍ୱିତୀୟ ସଂସ୍କରଣ ଆଣିବା ପାଇଁ ମଧ୍ୟ ଚିନ୍ତାଭାବନା ହୋଇଛି। ଏୟାରଲାଇନ୍ସଗୁଡ଼ିକୁ ଦିଆଯାଉଥିବା ଆର୍ଥିକ ସହାୟତା ଅବଧି ବଢ଼ାଇବା ସହ ବିମାନ ଇନ୍ଧନ ଉପରେ ଭାଟ୍ କମାଇବା ପାଇଁ ପ୍ରସ୍ତାବ ତିଆରି କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।ଏହା ସହ ଢେଙ୍କାନାଳର ବିରସାଲରେ ‘ବିଜୁ ପଟ୍ଟନାୟକ ଏଭିଏସନ ସେଣ୍ଟର’ ଉନ୍ନୟନ ଓ ମାଲକାନଗିରି ବିମାନବନ୍ଦରର କାର୍ଯ୍ୟକ୍ଷମତା ବୃଦ୍ଧି ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି।ଏହି ସମସ୍ତ ପଦକ୍ଷେପ ଫଳରେ ଓଡ଼ିଶାର ବିମାନ ସଂଯୋଗ ବ୍ୟବସ୍ଥା ଶକ୍ତିଶାଳୀ ହେବା ସହ ପର୍ଯ୍ୟଟନ ଓ ଅର୍ଥନୀତିରେ ଏକ ନୂତନ ଗତି ଆସିବ ବୋଲି ଆଶା କରାଯାଉଛି ।
ଚର୍ଚ୍ଚା news












