ତାରିଖ – ୨୩-୦୨-୨୦୨୬
ସାମ୍ବାଦିକ ରାଜୀବ କୁମାର ବେହେ
ଉଦଳା : ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ କପ୍ତିପଦା ଉପଖଣ୍ଡ ଉଦଳାର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆଜି ଅନୁଷ୍ଠିତ ଜନଶୁଣାଣୀ ଶିବିରରେ ଜିଲ୍ଲାପାଳ, ମୟୂରଭଞ୍ଜ ହେମକାନ୍ତ ସୟ ଏବଂ ଆରକ୍ଷୀ ଅଧିକ୍ଷକ ମୟୂରଭଞ୍ଜ, ବରୁଣ ଗୁଣ୍ଟୁପାଲି ଯୋଗ ଦେଇ ୧୧୦ ଗୋଟି ଜନ ଅଭିଯୋଗର ଶୁଣାଣୀ କରିଛନ୍ତି । ଉପଖଣ୍ଡର ଉପଜିଲ୍ଲାପାଳ ସୁଶାନ୍ତ କୁମାର ବାରିକ୍ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଶିବିରରେ ମୁଖ୍ୟ ଉନ୍ନୟନ ଅଧୁକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ମୟୂରଭଞ୍ଜ ଧର୍ମାନନ୍ଦ ବେହେରା, ପ୍ରକଳ୍ପ ପ୍ରଶାସକ ଆଇଟିଡିଏ ନରେନ୍ଦ୍ର ଖମାରୀ, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ହୃଷିକେଶ ନାଏକ, ଉପଖଣ୍ଡ ଚିକିତ୍ସାଳୟ ଅଧୀକ୍ଷକ ଡା. ମିନକେତନ ମହାନ୍ତି ଯୋଗ ଦେବା ସହିତ ଉପଖଣ୍ଡର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାରଙ୍କ ସମେତ ଜିଲ୍ଲା ଓ ଉପଖଣ୍ଡ ତଥା ବ୍ଲକସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ଶୁଣାଣୀ କାର୍ଯ୍ୟରେ ସହଯୋଗ କରିଥିଲେ । ସମସ୍ତ ଅଭିଯୋଗ ମଧ୍ୟରେ ୮୯ ଟି ବ୍ୟକ୍ତିଗତ ସମସ୍ୟା ସମ୍ବଳିତ ଥିବା ସ୍ଥଳେ ୨୧ ଗୋଟି ସାମୂହିକ ସମସ୍ୟା ସମ୍ବଳିତ ବିଷୟ ଉପରେ ଆଧାରିତ ଥିଲା । ସେଥିମଧ୍ୟରୁ ୨୧ ଗୋଟି ସମସ୍ୟାର ତତ୍କାଳ ସମାଧାନ କରାଯାଇ ଚିକିତ୍ସା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୧୭ ଜଣଙ୍କୁ ଏକ ଲକ୍ଷ ପଚିଶ ହଜାର, ରେଡ଼କ୍ରସ ପାଣ୍ଠିରୁ ୪ ଜଣଙ୍କୁ ୫୫ ହଜାର ମୋଟ ଏକ ଲକ୍ଷ ଅଶୀ ହଜାର ଟଙ୍କାର ଚେକ୍ ପ୍ରଦାନ କରାଯାଇଥିଲା ।
ଆଜିର ଶୁଣାଣୀରେ ବିଭିନ୍ନ ବିଭାଗ ପାଇଁ ଆସିଥିବା ଅଭିଯୋଗ ଗୁଡିକ ମଧ୍ୟରେ ଉଦଳା ବ୍ଲକ ଚନ୍ଦ୍ରପୁର ଗ୍ରାମର ସରକାରୀ ଜମିରେ ଘର କରି ରହିବା, ଶିମିଳିପାଳ ଜେନାବିଲ୍ ଏବଂ କବାଟଘାଇରୁ ବିସ୍ଥାପିତ କରି ଆମ୍ବଡିହା କଲୋନୀରେ ରଖାଯାଇଥିବା ବିସ୍ଥାପିତ ମାନଙ୍କୁ ଆର୍ଥିକ ରାଶି ପ୍ରଦାନ, ଦୁଗୁଧା ପଞ୍ଚାୟତ ବଡବିଲା ଗ୍ରାମକୁ ପ୍ରଧାନମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ଅନ୍ତଭୁକ୍ତ କରି ସ୍ଥାୟୀ ପକ୍କା ରାସ୍ତା ନିର୍ମାଣ, ରାଢୋ ପଞ୍ଚାୟତ ହିଲ୍ବ୍ଲକ ୨୮ ର ମନରେଗା ଯୋଜନାରେ ଠକେଇ, ବହୁବନ୍ଧ ପଞ୍ଚାୟତ ନାବରା କଲୋନୀର ମିଶନ ଶକ୍ତି ବାଦାମ ଚାଷୀଙ୍କୁ ଚାଷ ନିମନ୍ତେ ବିହନ, ପାଣି ଏବଂ ଜମି ଯୋଗାଣ, ଢାମପାଣି ବନ୍ଧକୁ ମିନି ଡ୍ୟାମ୍ରେ ପରିଣତ କରିବା, କପ୍ତିପଦା ବିଜ୍ଞାପିତ ଅଞ୍ଚଳ ପରିଷଦରୁ ପରାସବଣୀ ଗ୍ରାମକୁ ବାଦ୍ ଦେବା, ଦେୱାନବାହାଲୀ ଗ୍ରାମ ପଞ୍ଚାୟତ ଆଦିଘୁଟୁ ଗୁଲିଆ ନାଳସାହି, ରମ୍ଭାଦର ଲାଗସାହିରେ ନୂତନ ନଳକୂପ ଖନନ, ଜଡିଦା ପଞ୍ଚାୟତର ଉନ୍ନତିମୂଳକ କାର୍ଯ୍ୟରେ ଦୁର୍ନୀତି, ପଦ୍ମପୋଖରୀ ପଞ୍ଚାୟତ ଧନାସାହି, ମହାକୁଡସାହି ଏବଂ ବେହେରାସାହି ନିମନ୍ତେ ଏକ ନୂତନ ଅଙ୍ଗନବାଡି କେନ୍ଦ୍ର ସ୍ଥାପନ, ଶୋଲଗଡିଆ ଗ୍ରାମର ସରକାରୀ ଜଙ୍ଗଲ ଜମିରେ ଥିବା ଆମ୍ବ ବଗିଚା ଜବରଦଖଲ ଉଚ୍ଛେଦ, ଖୁଣ୍ଟା ବ୍ଲକ ନାଲୁହା ଏମଆର ବାମ-୨ ର କାବପାଳଶା କେନାଲ ହିରାପୁର ସ୍କୁଲ ଠାରେ ଏକ ପୋଲ, ଗାଡଓ୍ୱାଲ ଏବଂ କେନାଲ ସଫେଇ, ଗୋପବନ୍ଧୁନଗର ବ୍ଲକ ଶୀଳଘାଟି ପଞ୍ଚାୟତ କେନ୍ଦୁଆମୁଣ୍ଡି ଗ୍ରାମରେ ପ୍ରଧାନମନ୍ତ୍ରୀ ଆବାସ ତାଲିକାରେ ପାତର ଅନ୍ତର ଆଦି ଅଭିଯୋଗ ଗୁଡିକ ଉପରେ ବିଚାର କରି ତାର ସମାଧାନ ନିମନ୍ତେ ବିଭିନ୍ନ ବିଭାଗୀୟ ଅଧୁକାରୀମାନଙ୍କୁ ଜିଲ୍ଲାପାଳ ମୟୂରଭଞ୍ଜ ନିର୍ଦ୍ଦେଶ ଦେଇଥିଲେ ।
ଉପରୋକ୍ତ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ଡେପୁଟି କଲେକ୍ଟର ପ୍ରତୀକ କୁମାର ପଣ୍ଡା ଓ କାର୍ଯ୍ୟାଳୟର କର୍ମଚାରୀ ରମେଶ ପୃଷ୍ଟି, କବିତା ଖୁଲାର, ସତ୍ୟ ପ୍ରକାଶ ପାତ୍ର, ସାଇସ୍ୱରୂପ କର, ରାଉତରାୟ ମୁର୍ମୁ, ପାର୍ବତୀ କିନ୍ତୁ, ପ୍ରୀତମ ମହାନ୍ତି, ହିମାଂଶୁ ଶଙ୍ଖୁଆ, ଅନୁଭବ ରାଉତ, ତାପସ ପ୍ରଧାନ, ତପୁ ପାତ୍ର, ଭବାନୀ ପଣ୍ଡା, ଅଳିତ ମହାପାତ୍ର, ତରୁଣକାନ୍ତି ମହାପାତ୍ର ଓ ଅନ୍ୟାନ୍ୟ କର୍ମଚାରୀ ପ୍ରମୁଖ ସହଯୋଗ କରିଥିଲେ ।












