ଉଦଳା -, (ରାଜୀବ କୁମାର ବେହେରା):
ସରକାର ଯେଉଁଠି “ଭଲ ପଢ଼ିବେ, ପଢ଼ି ବଢ଼ିବା” ଭଳି ସ୍ଲୋଗାନ ଦେଇ ଶିକ୍ଷାର ଗୁଣମାନ ନେଇ ଦାବି କରୁଛନ୍ତି, ସେଠାରେ ବାସ୍ତବ କ୍ଷେତ୍ରରେ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ। ଜଣେ ମାତ୍ର ଶିକ୍ଷକଙ୍କୁ ନେଇ ୫ଟି ଶ୍ରେଣୀର ପାଠପଢ଼ା—ଏହା କଣ ଶିକ୍ଷା ବ୍ୟବସ୍ଥାର ଉନ୍ନତି, ନା ଖୋଲା ଅବହେଳା? ଏଭଳି ଚରମ ଅବ୍ୟବସ୍ଥାକୁ ପ୍ରତିବାଦ କରି ଅଭିଭାବକ ଓ ଗ୍ରାମବାସୀମାନେ ବିଦ୍ୟାଳୟରେ ତାଲା ପକାଇଛନ୍ତି।
ଏହି ଘଟଣା ଦେଖାଯାଇଛି ମୟୂରଭଞ୍ଜ ଜିଲ୍ଲା ଗୋପବନ୍ଧୁନଗର ବ୍ଲକ ଅଧୀନ ଶିଳଘାଟୀ ପଞ୍ଚାୟତର ଡ଼ାହାଣୀବୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ। ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ଦୀର୍ଘ ମାସ ଧରି ଜଣେ ମାତ୍ର ଶିକ୍ଷକଙ୍କୁ ନେଇ ପାଠପଢ଼ା ଚାଲିଆସୁଛି।
ଜଣେ ଶିକ୍ଷକ କିଭଳି ୫ଟି ଶ୍ରେଣୀର ପାଠ, ପରୀକ୍ଷା, ମଧ୍ୟାହ୍ନ ଭୋଜନ, ଅନ୍ୟାନ୍ୟ ଶିକ୍ଷାସମ୍ପର୍କିତ କାର୍ଯ୍ୟ ସମ୍ଭାଳିବେ—ଏହାକୁ ନେଇ ଗ୍ରାମବାସୀମାନେ ପ୍ରଶ୍ନ ଉଠାଇଛନ୍ତି। ଏଭଳି ପରିସ୍ଥିତିରେ ପିଲାମାନଙ୍କ ଭବିଷ୍ୟତ ସହ ସିଧାସଳଖ ଖେଳ ଖେଳାଯାଉଛି ବୋଲି ଅଭିଯୋଗ କରିଛନ୍ତି ଅଭିଭାବକମାନେ।
ଗତ କିଛି ମାସ ପୂର୍ବରୁ ଏହି ସମସ୍ୟାକୁ ନେଇ ଗୋପବନ୍ଧୁନଗର ବ୍ଲକ ଶିକ୍ଷା ଅଧିକାରୀ ଅଭିମନ୍ୟୁ ସେଠୀଙ୍କ ନିକଟରେ ଲିଖିତ ଅଭିଯୋଗ ଦିଆଯାଇଥିଲା। ସେତେବେଳେ ଶୀଘ୍ର ଶିକ୍ଷକ ନିଯୁକ୍ତିର ପ୍ରତିଶୃତି ମଧ୍ୟ ମିଳିଥିଲା। କିନ୍ତୁ ପ୍ରଶାସନର ଉଦାସୀନତାରେ ସେହି ପ୍ରତିଶୃତି ଆଜି ପର୍ଯ୍ୟନ୍ତ କାଗଜରେ ହିଁ ସୀମିତ ରହିଛି, ପାଣିରେ ଗାର ସଦୃଶ ହୋଇଥିବା ବୋଲି ଅଭିଯୋଗ କରିଛନ୍ତି ଆନ୍ଦୋଳନକାରୀମାନେ।
ଶିକ୍ଷକ ଅଭାବ ସମସ୍ୟାର ସ୍ଥାୟୀ ସମାଧାନ କରିବା ପରିବର୍ତ୍ତେ ବିଭାଗୀୟ ଅଧିକାରୀଙ୍କ ନିରବତା ଓ ଉଦାସୀନତା ପିଲାମାନଙ୍କ ଶିକ୍ଷା ଅଧିକାର ଉପରେ ଆଘାତ ଆଣୁଛି ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି।
ପରିସ୍ଥିତିରେ କ୍ଷୁବ୍ଧ ହୋଇ ଗୁରୁବାର ଅଭିଭାବକମାନେ ବିଦ୍ୟାଳୟର ମୁଖ୍ୟ ଫାଟକରେ ତାଲା ପକାଇ ପ୍ରତିବାଦ କରିଥିଲେ। ଶିକ୍ଷକ ନିଯୁକ୍ତି ନହେବା ପର୍ଯ୍ୟନ୍ତ ତାଲା ଖୋଲାଯିବ ନାହିଁ ବୋଲି ସେମାନେ ସଫା ସଫା କହିଦେଇଛନ୍ତି।
ଏହି ଗଭୀର ସମସ୍ୟା ପ୍ରତି ତୁରନ୍ତ ଜିଲ୍ଲାପାଳ ଓ ଉଚ୍ଚସ୍ତରୀୟ ପ୍ରଶାସନ ହସ୍ତକ୍ଷେପ କରି ପିଲାମାନଙ୍କ ଶିକ୍ଷା ଅଧିକାରକୁ ସୁରକ୍ଷା ଦେବା ପାଇଁ ବୁଦ୍ଧିଜୀବୀ ଓ ଅଭିଭାବକ ମହଲରୁ ଜୋରଦାର ଦାବି ଉଠିଛି।
ଜଣେ ଶିକ୍ଷକରେ ୫ ଶ୍ରେଣୀ!ଶିକ୍ଷା ବ୍ୟବସ୍ଥାର ଦୁରବସ୍ଥା—ଶିକ୍ଷକ ନିଯୁକ୍ତି ଦାବିରେ ବିଦ୍ୟାଳୟରେ ତାଲା
By Charcha News











