ଉଦଳା : (ରାଜୀବ କୁମlର ବେହେରା) – ପେସାରେ ମୋଟର ମେକାନିକ ହେଲେ ନିଶା ନଡ଼ିଆ ସଢେଇ ଶିଳ୍ପୀ l ନଡ଼ିଆ ସଢେଇ ରେ ରାଫେଲ ବନାଇ ଚର୍ଚ୍ଚାରେ, ନିଜ ପେସାର ସୀମାକୁ ଉଲ୍ଲଂଘନ କରି ନିଶାକୁ ସାର୍ଥକତାରେ ପରିଣତ କରିବା ସମସ୍ତଙ୍କ ପାଇଁ ସମ୍ଭବ ନୁହେଁ। କିନ୍ତୁ ଏହାକୁ ପ୍ରମାଣ କରିଦେଖାଇଛନ୍ତି ମୟୁରଭଞ୍ଜ ଜିଲ୍ଲା ଉଦଳା ବିଜ୍ଞାପିତ ଅଞ୍ଚଳ ପରିଷଦ (NAC) ଅନ୍ତର୍ଗତ ୭ ନମ୍ବର ୱାର୍ଡର ଯୁବ ଶିଳ୍ପୀ ବିଜୟ କୁମାର କମିଳା।
ପେସାରେ ବାଇକ ମିସ୍ତ୍ରୀ ହେଲେ ମଧ୍ୟ ନିଶାରେ ସେ ଜଣେ ନିଆରା ନଡ଼ିଆ ସଢ଼େଇ ଶିଳ୍ପୀ। ଆମେ ଦୈନିକ ଜୀବନରେ ଅଦରକାରୀ ବୋଲି ଭାବି ଫିଙ୍ଗି ଦେଉଥିବା ନଡ଼ିଆ ଖୋଳପାକୁ ସେ ତାଙ୍କ କଳ୍ପନା, ପରିଶ୍ରମ ଓ ନିପୁଣ ହାତର ସ୍ପର୍ଶରେ ସୁନ୍ଦର, ମନୋହର ଓ ଆକର୍ଷଣୀୟ କଳାକୃତିରେ ପରିଣତ କରିଦେଉଛନ୍ତି। ଏହି କଳା ତାଙ୍କୁ କେବଳ ପରିଚୟ ନୁହେଁ, ସମ୍ମାନ ଓ ପ୍ରଶଂସା ମଧ୍ୟ ଦେଇଛି।
ନଡ଼ିଆ ସଢ଼େଇରେ ବିଭିନ୍ନ ପ୍ରକାର ସୃଷ୍ଟି ପରେ ଏବେ ବିଜୟ ଚର୍ଚ୍ଚାରେ ଆସିଛନ୍ତି ‘ଅପରେସନ ସିନ୍ଦୂର’ ପ୍ରେରଣାରେ ତିଆରି ଏକ ଅବିକଳ ‘ରାଫେଲ’ ବିମାନ ମଡେଲ୍ ଦ୍ୱାରା। ପ୍ରାୟ ୧୦୦ ଦିନର ନିରନ୍ତର ପରିଶ୍ରମର ଫଳ ଏହି କଳାକୃତି। ଗ୍ୟାରେଜର କାମ ଶେଷ ପରେ ମିଳୁଥିବା ଅଳ୍ପ ସମୟକୁ ସଦୁପଯୋଗ କରି ସେ ଧର୍ଯ୍ୟ ର ସହିତ ଏହି ‘ରାଫେଲ’ ଗଢ଼ି ତୋଳିଛନ୍ତି।
ନଡ଼ିଆ ସଢ଼େଇରେ ପ୍ରସ୍ତୁତ ଏହି ରାଫେଲ ବିମାନର ଓଜନ ପ୍ରାୟ ୧୭ କିଲୋଗ୍ରାମ ଓ ଏହାର ଉଚ୍ଚତା ଓ ଲମ୍ବ ୨ ଫୁଟ ୭ ଇଞ୍ଚ ରହିଛି। ଏହାର ସୂକ୍ଷ୍ମ କାମ ଓ ଆକୃତି ଦେଖିଲେ ଯେକେହି ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। କେହି କେହି ତାଙ୍କୁ ଓଡ଼ିଶାର ବିଶ୍ୱକର୍ମା ମଧ୍ୟ କହିଛନ୍ତି l
ସାଧାରଣ ନଡ଼ିଆ ସଢ଼େଇକୁ ଆଧାର କରି ଅସାଧାରଣ କଳ୍ପନା, ଦେଶପ୍ରେମ ଓ ନିଶାର ସମନ୍ୱୟ ଘଟାଇ ବିଜୟ ପ୍ରମାଣ କରିଛନ୍ତି ଯେ ଇଚ୍ଛାଶକ୍ତି ଥିଲେ ସାଧାରଣ ପୃଷ୍ଠଭୂମିରୁ ମଧ୍ୟ ଅସାଧାରଣ ସୃଷ୍ଟି ସମ୍ଭବ। ସୁଯୋଗ ମିଳିଲେ ଦେଶର ଯଶସୀ ପ୍ରଧାନମନ୍ତ୍ରୀଙ୍କୁ ଏହି ରାଫେଲ ମଡେଲ୍ ଉପହାର ସ୍ୱରୂପ ପ୍ରଦାନ କରିବା ଆଶା ରଖିଛନ୍ତି ବୋଲି ସେ କହିଛନ୍ତି।
ଆଜି ବିଜୟ କୁମାର କମିଳା କେବଳ ଜଣେ କଳାକାର ନୁହେଁ; ସେ ଉଦଳା ଅଞ୍ଚଳର ଗର୍ବ ଓ ମୟୁରଭଞ୍ଜ ଜିଲ୍ଲାର ଗୌରବ ଭାବେ ପରିଚିତ ହେଉଛନ୍ତି।
ନଡ଼ିଆ ସଢ଼େଇରେ ଗଢ଼ା ‘ରାଫେଲ’ : ନିଶା, ନିଷ୍ଠା ଓ ଦେଶପ୍ରେମର ଅଦ୍ଭୁତ ଦୃଷ୍ଟାନ୍ତ
By Charcha News












