ତାରିଖ ୧୫-୧୨-୧୦୨୫
ସାମ୍ବାଦିକ ରାଜୀବ କୁମାର ବେହେରା
ମୟୁରଭଞ୍ଜ : ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ ରାଜ୍ୟ ରାଜପଥ–୧୯ ର ଉଦଳା–ବାରିପଦା ମୁଖ୍ୟ ରାସ୍ତାର ପାଟପୁର ନିକଟରେ ରାତ୍ର ସମୟରେ ଏକ ମର୍ମନ୍ତୁଦ ବାଇକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣେ ଅଜଣା ବ୍ୟକ୍ତିଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁସାରେ, ବାରିପଦା ଆଡ଼ୁ ଉଦଳାକୁ ଆସୁଥିବା ବେଳେ ଏହି ବାଇକ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଘଟଣା ପରେ ଘଟଣାସ୍ଥଳରେ ପ୍ରବଳ ଭିଡ ଜମିଥିବା ଦେଖିବାକୁ ମିଳିଛି। ଗୁରୁତର ଆହତ ବାଇକ ଚାଳକ ହେଲେ ଉଦଳା ତହସିଲ ଅଫିସର କର୍ମଚାରୀ ୩୫ ବର୍ଷୀୟ ମନୋଜ କୁମାର ଜେନା, ପିତା—ଭାସ୍କର ଚନ୍ଦ୍ର ଜେନା, ୱାର୍ଡ ନମ୍ବର–୧୧ ବୋଲି ସୂଚନା ମିଳିଛି। ତାଙ୍କୁ ପ୍ରଥମେ ଉଦଳା ଉପଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ତାଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ଡାକ୍ତରମାନେ ତାଙ୍କୁ ଉଚ୍ଚତର ଚିକିତ୍ସା ପାଇଁ ବାରିପଦା ସ୍ଥାନାନ୍ତର କରିଛନ୍ତି। ଏପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳିପାରିନାହିଁ। ଖବର ପାଇ ଉଦଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିବା ସହ ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ କରିଛି। ଏହି ମର୍ମନ୍ତୁଦ ଦୁର୍ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଛାଇଯାଇଛି।












