କଟକ ତା ୦୨.୦୪.୨୦୨୬ ରିଖ ଅପ୍ରେଲ ୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଓଡ଼ିଆ ପକ୍ଷ ପାଳନ ଅବସରରେ ଆଜି କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପାରମ୍ପରିକ ପୋଷାକ ପରିଧାନ ଦିବସ ପାଳିତ ହୋଇଯାଇଛି । ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ, ଅତିରିକ୍ତ ଜିଲ୍ଲାପାଳ ଡଃ ଇପସିତା ପ୍ରିୟଦର୍ଶିନୀ ମିଶ୍ରଙ୍କ ସମେତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀ ଆଜି ପାରମ୍ପରିକ ପୋଷାକ ପରିଧାନ ପୂର୍ବକ କାର୍ଯ୍ୟାଳୟକୁ ଆସିଥିଲେ । “ଆମ ପୋଷାକ ଆମ ପରିଚୟ” ସ୍ଲୋଗାନ୍କୁ ସମ୍ମାନ ଜଣାଇ ଆଜି ଖଦୀ, ସମ୍ବଲପୁରୀ, ସୋନପୁରୀ, କୋଟପାଡ, ମାଣିଆବନ୍ଧ, ନୂଆପାଟଣା, ବୋମକାଇ ଆଦି ରାଜ୍ୟର ବିଭିନ୍ନ ସ୍ଥାନର ହସ୍ତତନ୍ତ ବୁଣା ପୋଷାକ ପରିଧାନ କରିଥିଲେ । ଆମ ବସ୍ତ୍ର ହେଉଛି ଆମ ସ୍ୱାଭିମାନ ଓ ଆମ ପରିଚୟ । ଓଡ଼ିଶା ହସ୍ତତନ୍ତ ସମଗ୍ର ବିଶ୍ୱରେ ପ୍ରସିଦ୍ଧି ଲାଭ କରିଛି । ଏଣୁ କେବଳ ଓଡ଼ିଆ ପକ୍ଷ ପାଳନ ନୁହେଁ ଦୈନନ୍ଦିନ ଜୀବନରେ ସମସ୍ତେ ହସ୍ତତନ୍ତ ପୋଷାକ ପିନ୍ଧିବାକୁ ଅଭ୍ୟାସରେ ପରିଣତ କରି ଆମ ବୁଣାକାର ଓ ଗ୍ରାମ୍ୟ ଅର୍ଥନୀତିକୁ ସଶକ୍ତ କରିବା ସହ ସମୃଦ୍ଧ ଓଡ଼ିଶା ଗଠନରେ ଅଂଶୀଦାର ହେବାକୁ ଜିଲ୍ଲାପାଳ ଆହ୍ଵାନ ଦେଇଛନ୍ତି । ଏହି ଅବସରରେ ଜିଲ୍ଲାପାଳଙ୍କ ସମେତ ସମସ୍ତ ଅଧିକାରୀ ଓ କର୍ମଚାରୀ ଏକତ୍ରିତ ହୋଇ ଫଟୋ ଉଠାଇଥିଲେ । ଜିଲ୍ଲାର ବିଭିନ୍ନ ବ୍ଲକ କାର୍ଯ୍ୟାଳୟଠାରେ ମଧ୍ୟ ପାରମ୍ପରିକ ପୋଷାକ ପରିଧାନ ଦିବସ ଅନୁରୂପ ଭାବେ ପାଳିତ ହୋଇଯାଇଛି । ଏହା ମାଧ୍ୟମରେ ଲୋକମାନଙ୍କ ମନରେ ନିଜ ସଂସ୍କୃତି ପ୍ରତି ସମ୍ମାନ ବଢ଼ିବା ସହ ଏହାକୁ ଆଗାମୀ ପିଢି ପର୍ଯ୍ୟନ୍ତ ପହଞ୍ଚାଇବାର ଏହା ଏକ ପ୍ରୟାସ ।
ଚର୍ଚ୍ଚା NEWS












