ଏକ-ତୃତୀୟାଂଶ ୱାର୍ଡ ମେମ୍ବରଙ୍କ ଦସ୍ତଖତ ଥିବା ରିକ୍ୟୁଜିସନ୍ ଏବଂ ଅନାସ୍ଥା ପ୍ରସ୍ତାବର ନକଲ ଦେବା ଆବଶ୍ୟକ । ଅନାସ୍ଥା ପ୍ରସ୍ତାବ ଆଣିବାର ଅଧିକାର ସହିତ ସରପଞ୍ଚଙ୍କୁ ନିଜ ପକ୍ଷ ରଖିବାର ସୁଯୋଗ ଦେବା ମଧ୍ୟ ଆଇନଗତ ପ୍ରକ୍ରିୟାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ।
ସରପଞ୍ଚଙ୍କୁ ପଦରୁ ହଟାଇବା ପାଇଁ କେବଳ ନୋଟିସ୍ ଦେଲେ ହେବନାହିଁ । ଅନାସ୍ଥା ପ୍ରସ୍ତାବ ସମ୍ପର୍କିତ ନୋଟିସ୍ ସହ ରିକ୍ୟୁଜିସନ୍ ଏବଂ ପ୍ରସ୍ତାବର ନକଲ ଦେବା ବାଧ୍ୟତାମୂଳକ ବୋଲି ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ସ୍ପଷ୍ଟ କରିଛନ୍ତି ହାଇକୋର୍ଟ ।
ନିୟମ ଅନୁସାରେ ପ୍ରକ୍ରିୟା ପାଳନ ନକଲେ ସରପଞ୍ଚଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ଅବୈଧ ହୋଇପାରେ । ଅନାସ୍ଥା ବୈଠକ ପାଇଁ ଅତି କମ୍ରେ ୧୫ ଦିନ ପୂର୍ବରୁ ସରପଞ୍ଚଙ୍କୁ ପୂର୍ଣ୍ଣ ନୋଟିସ୍ ଦେବାକୁ ପଡ଼ିବ । କଟକ ଜିଲ୍ଲା ଆଠଗଡ଼ର କଣ୍ଡରାଇ ଗ୍ରାମ ପଞ୍ଚାୟତ ସରପଞ୍ଚ ଜ୍ଞାନ ରଞ୍ଜନ ଦାସଙ୍କ ବିରୋଧରେ ଆଗତ ଅନାସ୍ଥା ମାମଲାର ଶୁଣାଣି କରି ହାଇକୋର୍ଟ ଏହି ରାୟ ଦେଇଛନ୍ତି ।
ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବା ବେଳେ ଆଇନଗତ ପ୍ରକ୍ରିୟାକୁ କଡ଼ାକଡ଼ି ଭାବେ ପାଳନ କରିବା ଜରୁରୀ । ବୈଠକର ନୋଟିସ୍ ସରପଞ୍ଚଙ୍କୁ ବ୍ୟକ୍ତିଗତ ଭାବେ ହସ୍ତାନ୍ତର କରିବା ଆବଶ୍ୟକ । କେବଳ ହ୍ୱାଟସ୍ଆପ୍ରେ ନୋଟିସ୍ ପଠାଇବା କିମ୍ବା ଘର କାନ୍ଥରେ ନୋଟିସ୍ ମାରିଦେବା ଯଥେଷ୍ଟ ନୁହେଁ । ଏସ୍ଡିଏମ୍ ସରପଞ୍ଚଙ୍କୁ ନୋଟିସ୍ ପ୍ରଦାନ କରିବା ସମୟରେ ଅତିକମ୍ରେ ଏକ-ତୃତୀୟାଂଶ ୱାର୍ଡ ମେମ୍ବରଙ୍କ ଦସ୍ତଖତ ଥିବା ରିକ୍ୟୁଜିସନ୍ ଏବଂ ଅନାସ୍ଥା ପ୍ରସ୍ତାବର ନକଲ ଦେବା ଆବଶ୍ୟକ । ଅନାସ୍ଥା ପ୍ରସ୍ତାବ ଆଣିବାର ଅଧିକାର ସହିତ ସରପଞ୍ଚଙ୍କୁ ନିଜ ପକ୍ଷ ରଖିବାର ସୁଯୋଗ ଦେବା ମଧ୍ୟ ଆଇନଗତ ପ୍ରକ୍ରିୟାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ତେଣୁ ନୋଟିସ୍ ଠିକ୍ ଭାବେ ପ୍ରଦାନ କରିବା ସହ ପ୍ରସ୍ତାବର ସମ୍ପୂର୍ଣ୍ଣ ତଥ୍ୟ ଦେବା ଆବଶ୍ୟକ । ସରପଞ୍ଚ ପଦର ଗରିମା ରକ୍ଷା କରିବା ସହ ଅନାସ୍ଥା ପ୍ରସ୍ତାବର ଆଇନଗତ ପ୍ରକ୍ରିୟାକୁ ସୁରକ୍ଷିତ ରଖିବା ଦିଗରେ ହାଇକୋର୍ଟଙ୍କ ଏହି ରାୟକୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଦେଖାଯାଉଛି ।
ଚର୍ଚ୍ଚା news












