କଟକ :: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ସାରା ଓଡ଼ିଶାରେ ପାଳିତ ହେଉଥିବା ‘ଓଡ଼ିଆ ପକ୍ଷ-୨୦୨୬’ ଅବସରରେ ଆଜି କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ “ଓଡ଼ିଆରେ ନାମ ଫଳକ ଲେଖା ଅଭିଯାନ” ସଚେତନତା କାର୍ୟ୍ୟକ୍ରମ ଓ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଆଜି ସକାଳେ ଏହି ପଦଯାତ୍ରା ପ୍ରଭାଗୀୟ ଶ୍ରମ ଆୟୁକ୍ତ କାର୍ୟ୍ୟାଳୟରୁ ଆରମ୍ଭ ହୋଇ ପଞ୍ଚମୁଖୀ ହନୁମାନ ମନ୍ଦିର ପର୍ୟ୍ୟନ୍ତ ଯାଇଥିଲା । କଟକ ସଦର ମାନ୍ୟବର ବିଧାୟକ ଇଞ୍ଜିନିୟର ପ୍ରକାଶ ସେଠୀ ପତାକା ଦେଖାଇ ଏହି ପଦଯାତ୍ରାର ଶୁଭାରମ୍ଭ କରିଥିଲେ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର ତଥା ଓଡ଼ିଶା ଦୋକାନ ଏବଂ ବାଣିଜ୍ୟିକ ପ୍ରତିଷ୍ଠାନ (ସଂଶୋଧନ) ଅଧିନିୟମ ଅନୁଯାୟୀ ସମସ୍ତ ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନରେ ଓଡ଼ିଆ ଭାଷାରେ ନାମ ଫଳକ ଲଗାଇବା ପାଇଁ ଏହି କାର୍ୟ୍ୟକ୍ରମ ମାଧ୍ୟମରେ ସଚେତନ କରାଯାଇଛି । ଏହି କାର୍ୟ୍ୟକ୍ରମରେ ପ୍ରଭାଗୀୟ ଶ୍ରମ ଆୟୁକ୍ତ ଶ୍ରୀମତୀ ହରପ୍ରିୟା ନାୟକ, ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ପ୍ରୀତିବନ୍ଧନ ଘଡେଇ, ସମସ୍ତ ସହକାରୀ ଶ୍ରମ ଅଧିକାରୀ, କାର୍ୟ୍ୟାଳୟର କର୍ମଚାରୀବୃନ୍ଦ, ଟ୍ରେଡ୍ ୟୁନିଅନ୍ ନେତାମାନେ, ବ୍ୟବସାୟୀ ସଂଘର ସଦସ୍ୟମାନେ ଏବଂ ଶ୍ରମିକମାନେ ଉପସ୍ଥିତ ଥିଲେ। ଏହି ସଚେତନତା ଶୋଭାଯାତ୍ରା ସହର ପରିକ୍ରମା କରି ସଚେତନତା ବାର୍ତ୍ତା ପ୍ରେରଣ କରିଥିଲା। ଓଡ଼ିଆ ଭାଷା ଏକ ପ୍ରାଚୀନ ଓ ସମୃଦ୍ଧ ଭାଷା । ଆମ ଓଡ଼ିଆ ଭାଷାର ଆହୁରି ଅଧିକ ପ୍ରଚାର ପ୍ରସାର ପାଇଁ ସମସ୍ତ ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନ ଓ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ନିଜ ନିଜର ଦୋକାନର ନାମଫଳକ ଓଡିଆରେ ଲେଖିବା ପାଇଁ ଅନୁରୋଧ କରାଯାଇଥଲା ।
ଚର୍ଚ୍ଚା news












