ନବରଙ୍ଗପୁର :ସମ୍ଭାବ୍ୟ ବର୍ଷାକୁ ନଜରରେ ରଖି ଇନ୍ଦ୍ରାବତୀ ଜଳଭଣ୍ଡାରର ଗୋଟିଏ ଫାଟକ ଖୋଲାଯାଇଛି।
ଇନ୍ଦ୍ରାବତୀ-କୋଲାବ ବେସିନ ମୁଖ୍ୟ ଯନ୍ତ୍ରୀ ଇଂ ବେଦାମ୍ବର ବେହେରା, ଅଧୀକ୍ଷଣ ଯନ୍ତ୍ରୀ ନେଲସନ ତାଡିଂ, ପୋଡ଼ାଗଡ ବନ୍ଧ ବିଭାଗ ନିର୍ବାହୀ ଯନ୍ତ୍ରୀ ଇଂ ଶୁଶାନ୍ତ କୁମାର ପଟ୍ଟନାୟକ, ମୁରାନ୍ ବନ୍ଧ ବିଭାଗ ନିର୍ବାହୀ ଯନ୍ତ୍ରୀ ଇଂ ତିଳୋତ୍ତମା ମାଝୀ, ଯାନ୍ତ୍ରିକ ବିଭାଗ ନିର୍ବାହୀ ଯନ୍ତ୍ରୀ ଇଂ ନୀରଜ କୁମାର ଲୋହାର, ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ଶ୍ରୀକାନ୍ତ କୁମାର ସାହୁ, ଇଂ ଚିନ୍ମୟ କୁମାର ଜେନା, ଇଂ ହୃଷୀକେଶ ନନ୍ଦି, ଇଂ କମଳ କୁମାର ବେହେରା ପ୍ରମୁଖ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ଡ୍ୟାମ୍ ସ୍ଥିତି ଅନୁଧ୍ୟାନ କରାଯିବା ପରେ ମୁଖ୍ୟ ଜଳଭଣ୍ଡାରର ୬ ନମ୍ବର ଫାଟକକୁ ଖୋଲାଯାଇଛି।
ଏହି ଗୋଟିଏ ଫାଟକ ମାଧ୍ୟମରେ ସେକେଣ୍ଡ ପ୍ରତି ୭୨ ଘନ ମିଟର ଜଳ ନିଷ୍କାସିତ ହେଉଥିବା ମୁଖ୍ୟ ଯନ୍ତ୍ରୀ ସୂଚନା ଦେଇଛନ୍ତି। ପୂର୍ବରୁ ୨୦୧୯ ମସିହା ଅଗଷ୍ଟ ୧୬ ତାରିଖରେ ଶେଷ ଥର ପାଇଁ ଜଳଭଣ୍ଡାରର ଫାଟକ ଖୋଲାଯାଇଥିଲା। ଦୀର୍ଘ ୭ ବର୍ଷ ପରେ ଲଘୁଚାପର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ଜଳସମ୍ପଦ ବିଭାଗ ପକ୍ଷରୁ ଏହି ସତର୍କତାମୂଳକ ପଦକ୍ଷେପ ନିଆଯାଇଛି।
ଇନ୍ଦ୍ରାବତୀ ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୪୨ ମିଟର ହୋଇଥିବା ବେଳେ ଗେଟ୍ ଖୋଲିବା ସମୟରେ ଜଳସ୍ତର ୬୪୦.୨୯ ମିଟର ରହିଥିଲା। ବର୍ତ୍ତମାନ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୧୭୭.୫୩ କ୍ୟୁମେକ୍ସ ଜଳ ପ୍ରବେଶ କରୁଛି। ଅନ୍ୟପଟେ ୬୦୦ ମେଗାୱାଟ ବିଦ୍ୟୁତ ଶକ୍ତି ଉତ୍ପାଦନ ହୋଇ ୨୦୩.୨୮ କ୍ୟୁମେକ୍ସ ଜଳ ପାୱାର ଚ୍ୟାନେଲ ଦେଇ ମଙ୍ଗଳପୁର ବ୍ୟାରେଜ ମାଧ୍ୟମରେ ହାତୀ ନଦୀରେ ପ୍ରବାହିତ ହେଉଛି।
ଜଳସ୍ତର ୬୩୯.୬୦ ମିଟରକୁ ଖସିଲେ ଗେଟ୍ ବନ୍ଦ କରାଯିବ। ଆଗାମୀ ଦିନରେ ବର୍ଷାର ସ୍ଥିତି ଦେଖି ଅଧିକ ଗେଟ୍ ଖୋଲାଯିବ କି ବନ୍ଦ କରାଯିବ, ସେ ନେଇ ନିଷ୍ପତ୍ତି ନିଆଯିବ।
ତଳିଆ ଅଞ୍ଚଳବାସୀଙ୍କୁ ସତର୍କ ସୂଚନା:
ଜଳ ନିଷ୍କାସନ ଯୋଗୁଁ ତଳିଆ ଅଞ୍ଚଳରେ ଜଳସ୍ତର ବୃଦ୍ଧି ପାଇବା ଆଶଙ୍କା ଥିବାରୁ ପ୍ରଶାସନ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଇନ୍ଦ୍ରାବତୀ ଜଳଭଣ୍ଡାରର ତଳ ଅଞ୍ଚଳ ଯଥା ନବରଙ୍ଗପୁର, ବୋରିଗୁମ୍ମା, କୋଷାଗୁମୁଡ଼ା, କୋଟପାଡ ସମେତ ପଡ଼ୋଶୀ ଛତିଶଗଡ଼ ରାଜ୍ୟର ବସ୍ତର ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ କୁହାଯାଇଛି। ଏଥିପାଇଁ ନବରଙ୍ଗପୁର, କୋରାପୁଟ ଓ ବସ୍ତର ଜିଲ୍ଲାପାଳଙ୍କ ସହ ଆଲୋଚନା କରି ଆବଶ୍ୟକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି।
ଚର୍ଚ୍ଚା tv












