ଯେଉଁ ଦେଶ ନିଜକୁ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ବୋଲି ଦାବି କରେ, ଯେଉଁ ଦେଶର ରାଷ୍ଟ୍ରପତିଙ୍କୁ ବିଶ୍ୱର ସବୁଠାରୁ ନିରାପଦ ବ୍ୟକ୍ତି ବୋଲି କୁହାଯାଏ, ସେହି ଦେଶର ରାଜଧାନୀରେ ଆଜି ଯାହା ଘଟିଲା, ତାହା ସମଗ୍ର ବିଶ୍ୱକୁ ଚକିତ କରିଦେଇଛି ।
ବର୍ତ୍ତମାନ ଯୁଦ୍ଧକୁ ନେଇ ଚର୍ଚ୍ଚାରେ ଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ବିପଦ । ନିଜ ଦେଶରେ ସୁରକ୍ଷିତ ନାହାନ୍ତି ଆମେରିକା ରାଷ୍ଟ୍ରପତି । ଯୁଦ୍ଧଠାରୁ ଆରମ୍ଭ କରି ଟାରିଫରେ ସାରା ବିଶ୍ୱକୁ ଥରହର କରୁଥିବା ଟ୍ରମ୍ପଙ୍କୁ ହୋଇଛି ଗୁଳିମାଡ଼ ଉଦ୍ୟମ । ଯେଉଁ ଦେଶ ନିଜକୁ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ବୋଲି ଦାବି କରେ, ଯେଉଁ ଦେଶର ରାଷ୍ଟ୍ରପତିଙ୍କୁ ବିଶ୍ୱର ସବୁଠାରୁ ନିରାପଦ ବ୍ୟକ୍ତି ବୋଲି କୁହାଯାଏ, ସେହି ଦେଶର ରାଜଧାନୀରେ ଆଜି ଯାହା ଘଟିଲା, ତାହା ସମଗ୍ର ବିଶ୍ୱକୁ ଚକିତ କରିଦେଇଛି । ପ୍ରତିଷ୍ଠିତ ‘ହ୍ୱାଇଟ୍ ହାଉସ୍ କରେସପଣ୍ଡେଣ୍ଟସ୍ ଡିନର୍’ ଚାଲିଥିବା ବେଳେ ହିଲଟନ୍ ହୋଟେଲରେ ଶୁଣାଯାଇଥିବା ଗୁଳି ଶବ୍ଦ କେବଳ ଆତଙ୍କ ସୃଷ୍ଟି କରିନାହିଁ, ବରଂ ଆମେରିକାର ‘ଅଜେୟ’ ସୁରକ୍ଷା ବ୍ୟବସ୍ଥାର ମୁଖା ଖୋଲି ଦେଇଛି।
ହୋଟେଲ ଭିତରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ପ୍ରଥମ ମହିଳା ମେଲାନିଆ ଟ୍ରମ୍ପ, ଉପରାଷ୍ଟ୍ରପତି ଜେଡି ଭେନ୍ସଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ । କିନ୍ତୁ କିଏ ଜାଣିଥିଲା ଯେ, ବାହାରେ ଚାଲିଥିବା ଯୁଦ୍ଧ ବିରୋଧୀ ପ୍ରଦର୍ଶନ ମଧ୍ୟରେ ଜଣେ ବନ୍ଧୁକଧାରୀ ସୁରକ୍ଷା କର୍ମୀଙ୍କ ଆଖିରେ ଧୂଳି ଦେଇ ହୋଟେଲ ଭିତରକୁ ପ୍ରବେଶ କରିସାରିଛି। ହଠାତ୍ ଲବି ଅଞ୍ଚଳରେ ଗୁଳିମାଡ଼ର ଶବ୍ଦ ହୋଟେଲର ଚାରି କାନ୍ଥରେ ପ୍ରତିଧ୍ୱନିତ ହେଲା ଏବଂ ମୁହୂର୍ତ୍ତକ ମଧ୍ୟରେ ଉତ୍ସବର ମାହୋଲ ଭୟରେ ଥରିଉଠିଲା ଏହି ଘଟଣାର ସବୁଠାରୁ ଆଶ୍ଚର୍ଯ୍ୟଜନକ ଦିଗ ହେଉଛି ସୁରକ୍ଷା ବ୍ୟବସ୍ଥାରେ ଥିବା ଗ୍ୟାପ୍। ଭିଭିଆଇପି ବଲରୁମରେ କଡ଼ାକଡ଼ି ଯାଞ୍ଚ ହେଉଥିବା ବେଳେ ହୋଟେଲର ସାଧାରଣ ସ୍ଥାନ ବା ଲବିକୁ କାହିଁକି ସମ୍ପୂର୍ଣ୍ଣ ସିଲ୍ କରାଯାଇନଥିଲା? ଜଣେ ଆତତାୟୀ କିପରି ସହଜରେ ବନ୍ଧୁକ ଧରି ରାଷ୍ଟ୍ରପତି ଉପସ୍ଥିତ ଥିବା ହୋଟେଲ ଭିତରକୁ ପଶିଗଲା? ଯେଉଁ ଟ୍ରମ୍ପ ନିଜକୁ ଜଣେ ‘ଶକ୍ତିଶାଳୀ ନେତା’ ଭାବେ ଉପସ୍ଥାପିତ କରନ୍ତି, ସେହି ନେତା ଆଜି ନିଜ ଦେଶର ରାଜଧାନୀରେ ନିଜକୁ ଅସୁରକ୍ଷିତ ମଣିଲେ । ସିକ୍ରେଟ ସର୍ଭିସ ତତ୍ପରତା ଦେଖାଇ ତାଙ୍କୁ ସୁରକ୍ଷିତ ସ୍ଥାନକୁ ନେଇଗଲା ସତ, କିନ୍ତୁ ଏହି ପ୍ରଶ୍ନବାଚୀ ଏବେ ବି ରହିଛି।
ଅନେକ ସମୟରେ ଆମେରିକା ନିଜର ପ୍ରତିରକ୍ଷା ଓ ଗୁପ୍ତଚର ସଂସ୍ଥାର ଗୁଣଗାନ କରିଥାଏ । କିନ୍ତୁ ଜଣେ ସାଧାରଣ ସୁଟର ଯେତେବେଳେ ନ୍ୟାସନାଲ ଗାର୍ଡ ଓ ସିକ୍ରେଟ ସର୍ଭିସର ଘେର ଭିତରକୁ ପଶିଯାଏ, ସେତେବେଳେ ଏହି ‘ପାୱାରଫୁଲ୍’ ଛବି ମଳିନ ପଡ଼ିଯାଏ । ଟ୍ରମ୍ପଙ୍କ ପାଇଁ ଏହା ଏକ ବଡ଼ ଚେତାବନୀ। ରାଷ୍ଟ୍ରପତିଙ୍କ ସୁରକ୍ଷା ଘେର ମଧ୍ୟକୁ ବିକ୍ଷୋଭକାରୀମାନେ ରେଡ୍ କାର୍ପେଟ ପର୍ଯ୍ୟନ୍ତ ମାଡ଼ି ଆସିବା ସୂଚାଉଛି ଯେ, ବାହାରର ଶତ୍ରୁ ଅପେକ୍ଷା ଭିତରର ଅସନ୍ତୋଷ ଏବଂ ସୁରକ୍ଷା ବ୍ୟବସ୍ଥାର ଅବହେଳା ଅଧିକ ବିପଜ୍ଜନକ।
ସୌଭାଗ୍ୟବଶତଃ ଏହି ଘଟଣାରେ କାହାର ପ୍ରାଣହାନି ହୋଇନାହିଁ। କିନ୍ତୁ ଏହା ଆମେରିକାର ସୁରକ୍ଷା ପ୍ରୋଟୋକଲ ପାଇଁ ଏକ ଚରମ ଅପମାନ। ନିଜକୁ ବିଶ୍ୱର ସୁରକ୍ଷାଦାତା କହୁଥିବା ଦେଶ ଯଦି ନିଜ ରାଷ୍ଟ୍ରପତିଙ୍କୁ ଏକ ବନ୍ଦ ହୋଟେଲ ଭିତରେ ସୁରକ୍ଷା ଦେଇପାରୁ ନାହିଁ, ତେବେ ‘ଶକ୍ତିଶାଳୀ’ ଶବ୍ଦଟି ଏଠାରେ କେବଳ ଏକ ପରିହାସ ପରି ମନେହୁଏ। ଆଗାମୀ ଦିନରେ ଏହି ଘଟଣା ପାଇଁ ତଦନ୍ତ ହେବ, କିନ୍ତୁ ଟ୍ରମ୍ପଙ୍କ ନିରାପତ୍ତାକୁ ନେଇ ସୃଷ୍ଟି ହୋଇଥିବା ଏହି ଦାଗ ସହଜରେ ଲିଭିବ ନାହିଁ।
ଚର୍ଚ୍ଚା news












