ଭାଲୁ ଆତଙ୍କରେ ବୈରାଟପୁର ଓ ଆଖପାଖ ଅଞ୍ଚଳ
-BY-ରାଜୀବ କୁମାର ବେହେରା
ଉଦଳା,ସନ୍ଧ୍ୟା ନଇଁଲେ ପଡ଼ୁଛି ତାଟି କବାଟ। ଘର ଭିତରେ ମହିଳା ଓ ଶିଶୁମାନେ ଭୟରେ ରହୁଥିବା ବେଳେ ହାତରେ ଠେଙ୍ଗାବାଡ଼ି ଧରି ଗାଁ ଦାଣ୍ଡରେ ଜଗି ବସୁଛନ୍ତି ପୁରୁଷମାନେ। ଏହା କୌଣସି ପୁରାଣ କିମ୍ବା ଇତିହାସର କାହାଣୀ ନୁହେଁ, ବରଂ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବନାଞ୍ଚଳର ବୈରାଟପୁର ଓ ଆଖପାଖ ଗ୍ରାମର ବର୍ତ୍ତମାନର ବାସ୍ତବ ଚିତ୍ର।
ଗତ ଆଠ ଦିନ ଧରି ଏକ ଜଙ୍ଗଲୀ ଭାଲୁର ଉପଦ୍ରବ ଯୋଗୁଁ ଗ୍ରାମବାସୀଙ୍କ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଦିନରେ ଖେତକୁ ଯିବା ଓ ରାତିରେ ଘର ବାହାରକୁ ବାହାରିବା ପାଇଁ ଲୋକେ ଭୟ କରୁଛନ୍ତି। ଭାଲୁ ଯେକୌଣସି ସମୟରେ ଗ୍ରାମ ଭିତରକୁ ପଶି ଆସିପାରେ ବୋଲି ଆଶଙ୍କାରେ ସାରା ଅଞ୍ଚଳରେ ଏକ ଅଜଣା ଆତଙ୍କ ଖେଳିଯାଇଛି।
ଇତିହାସ ସାକ୍ଷୀ ରହିଛି ଯେ, ଜଙ୍ଗଲ ଧ୍ୱଂସ, ଖାଦ୍ୟ ଅଭାବ ଓ ବନ୍ୟପ୍ରାଣୀଙ୍କ ବାସସ୍ଥାନ ସଙ୍କୁଚିତ ହେବା ଯୋଗୁଁ ମଣିଷ ଓ ବନ୍ୟଜନ୍ତୁଙ୍କ ମଧ୍ୟରେ ସଂଘର୍ଷ ଧୀରେ ଧୀରେ ବଢ଼ିଛି। ଆଜି ବୈରାଟପୁରରେ ଯାହା ଦେଖାଯାଉଛି, ତାହା ସେହି ପୁରୁଣା ସଂଘର୍ଷର ଆଉ ଏକ ନୂଆ ଅଧ୍ୟାୟ। ଜଙ୍ଗଲର ଅଧିକାରୀ ଭାଲୁ ଏବେ ଜନବସତି ମୁହାଁ ହେଉଥିବା ବେଳେ ମଣିଷ ମଧ୍ୟ ନିଜ ସୁରକ୍ଷା ପାଇଁ ରାତି ଉଜାଗର ରହିବାକୁ ବାଧ୍ୟ ହେଉଛି।
ଅନ୍ୟପଟେ ବନ ବିଭାଗ ପକ୍ଷରୁ ମାଇକ ଯୋଗେ ସଚେତନତା ପ୍ରଚାର କରାଯାଉଛି। ଲୋକମାନଙ୍କୁ ଏକାକୀ ବାହାରକୁ ନଯିବା, ଭାଲୁ ଦେଖିଲେ ତାହାକୁ ଉତ୍ତ୍ୟକ୍ତ ନ କରିବା ଏବଂ ତୁରନ୍ତ ବନ ବିଭାଗକୁ ସୂଚନା ଦେବାକୁ ପରାମର୍ଶ ଦିଆଯାଉଛି। ସେହିସହିତ ବନ କର୍ମଚାରୀମାନେ ଭାଲୁର ଗତିବିଧି ଉପରେ ନଜର ରଖିଛନ୍ତି।
ତେବେ ଗ୍ରାମବାସୀଙ୍କ ଦାବି, କେବଳ ସଚେତନତା ନୁହେଁ, ଭାଲୁକୁ ସୁରକ୍ଷିତ ଭାବେ ଜଙ୍ଗଲକୁ ଫେରାଇବା ପାଇଁ ତୁରନ୍ତ ପଦକ୍ଷେପ ନିଆଯାଉ। ନଚେତ୍ ଏହି ଭୟର ବାତାବରଣ ଆହୁରି ଗମ୍ଭୀର ରୂପ ନେଇପାରେ।
ଜଙ୍ଗଲ ଓ ଜନପଦ ମଧ୍ୟରେ ସନ୍ତୁଳନ ରକ୍ଷା ହିଁ ଏବେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ।
ଚର୍ଚ୍ଚା news












