ଇରାନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଇସମାଇଲ ବାଘଚିଙ୍କ ସୂଚନା ଅନୁଯାୟୀ, ତେହେରାନ ଏବଂ ମସ୍କାଟ ହର୍ମୁଜ ପ୍ରଣାଳୀ ମଧ୍ୟରେ ଜାହାଜ ଚଳାଚଳ ମାର୍ଗର ଭୌଗୋଳିକ ସମନ୍ୱୟ ଉପରେ ସମ୍ମତି ପ୍ରକାଶ କରିଛନ୍ତି।
ହର୍ମୁଜ୍ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ସ୍ୱାଭାବିକ କରିବା ଏବଂ ଏକ ନୂତନ ସାମୁଦ୍ରିକ ମାର୍ଗ ପ୍ରସ୍ତୁତ କରିବା ଦିଗରେ ଇରାନ ଏବଂ ଓମାନ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୁଝାମଣା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଇରାନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଇସମାଇଲ ବାଘଚିଙ୍କ ସୂଚନା ଅନୁଯାୟୀ, ତେହେରାନ ଏବଂ ମସ୍କାଟ ହର୍ମୁଜ ପ୍ରଣାଳୀ ମଧ୍ୟରେ ଜାହାଜ ଚଳାଚଳ ମାର୍ଗର ଭୌଗୋଳିକ ସମନ୍ୱୟ ଉପରେ ସମ୍ମତି ପ୍ରକାଶ କରିଛନ୍ତି। ଏହି ମିଳିତ ବିବୃତିର ଚିଠା ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ଥିବା ବେଳେ ଏବେ କେବଳ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ମୋଜତାବା ଖେମିନିଙ୍କ ସ୍ୱାକ୍ଷରକୁ ଅପେକ୍ଷା କରାଯାଇଛି । ତେବେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ସର୍ବୋଚ୍ଚ ନେତା ସାଧାରଣରେ ଦୃଶ୍ୟମାନ ହୋଇନଥିବାରୁ ସେ ଆହତ ଥିବା ନେଇ ଚର୍ଚ୍ଚା ଜୋର ଧରିଛି ।
ଏହି ସାମୁଦ୍ରିକ ମାର୍ଗକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ସୂଚନା ଦେଇଛନ୍ତି। ଟ୍ରମ୍ପଙ୍କ ଅନୁଯାୟୀ, ଇରାନ ସହିତ ହେବାକୁ ଥିବା ଏହି ଚୁକ୍ତି ସମ୍ପର୍କରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଏକ ଆଧିକାରିକ ଘୋଷଣା କରାଯାଇପାରେ। ଆଲୋଚନାରେ ବହୁ ଅଗ୍ରଗତି ହୋଇଥିବା ସେ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ ଯେ, ଗତ ଫେବ୍ରୁଆରି ୨୮ ତାରିଖରେ ଆମେରିକା ଏବଂ ଇସ୍ରାଏଲର ମିଳିତ ଆକ୍ରମଣ ପରଠାରୁ ଇରାନ ହର୍ମୁଜ୍ ଜଳପଥ ଉପରେ ନିଜର ନିୟନ୍ତ୍ରଣ ଜାରି ରଖିଛି। ଦୀର୍ଘ ୫ ମାସ ଧରି ଏହି ଗୁରୁତ୍ୱପୂର୍ଣ୍ଣ ମାର୍ଗ ବନ୍ଦ ରହିବା ଫଳରେ ବିଶ୍ୱ ବଜାରରେ ତୈଳ ଓ ଗ୍ୟାସ ଦର ବୃଦ୍ଧି ପାଇଛି, କାରଣ ବିଶ୍ୱ ବାଣିଜ୍ୟର ପ୍ରାୟ ଏକ-ପଞ୍ଚମାଂଶ ଇନ୍ଧନ ଏହି ପଥ ଦେଇ ପରିବହନ ହୋଇଥାଏ ।
ଚୁକ୍ତି ଅନୁଯାୟୀ, ଇରାନ ଏବଂ ଓମାନର ଉପକୂଳରେ ଥିବା ଏହି ମାର୍ଗରେ ଏବେ ତିନି ପ୍ରକାର ଶୁଳ୍କ ଲାଗୁ କରିବା ପାଇଁ ଏକ ଫର୍ମୁଲା ପ୍ରସ୍ତୁତ କରାଯାଇଛି। ଇରାନ ଏହି ମାର୍ଗ ବ୍ୟବହାର କରୁଥିବା ଜାହାଜଗୁଡ଼ିକ ଉପରେ ମାଲ୍ ମୂଲ୍ୟର ୫% ରୁ ୭% ପର୍ଯ୍ୟନ୍ତ ସେବା ଶୁଳ୍କ ଆଦାୟ କରିବାକୁ ଚାପ ପକାଉଛି। ସେହିପରି ଓମାନ ପ୍ରାୟ ୩% ଶୁଳ୍କ ନେବାକୁ ପ୍ରସ୍ତାବ ରଖିଛି। ଇରାନ ଏହାକୁ ଏକ ‘ସେବା ଶୁଳ୍କ’ ବୋଲି ଦର୍ଶାଇ କହିଛି ଯେ, ଜାହାଜଗୁଡ଼ିକର ସୁରକ୍ଷା ଏବଂ ପରିବେଶଗତ ପ୍ରଭାବ ପାଇଁ ଏହି ରାଜସ୍ୱ ଆଦାୟ କରାଯିବ ଏବଂ ଏହାକୁ ଉଭୟ ଦେଶ ମଧ୍ୟରେ ସମାନ ଭାବରେ ବଣ୍ଟନ କରାଯିବ ।
ଅନ୍ୟପଟେ ଆମେରିକା ଏହି ଶୁଳ୍କ ବ୍ୟବସ୍ଥାକୁ ତୀବ୍ର ବିରୋଧ କରିଛି। ଆମେରିକା ବୈଦେଶିକ ସଚିବ ମାର୍କୋ ରୁବିଓ ଯୁକ୍ତି ଦେଇଛନ୍ତି ଯେ, ଅନ୍ତର୍ଜାତୀୟ ଆଇନ ଅନୁଯାୟୀ କୌଣସି ଏକ ନିର୍ଦ୍ଦିଷ୍ଟ ରାଷ୍ଟ୍ର ଦ୍ୱାରା ଅନ୍ତର୍ଜାତୀୟ ଜଳପଥକୁ ନିୟନ୍ତ୍ରଣ କରାଯିବା କିମ୍ବା ଟୋଲ୍ ଆଦାୟ କରାଯିବା ସମ୍ପୂର୍ଣ୍ଣ ଗ୍ରହଣୀୟ ନୁହେଁ। ଇରାନ ଏହି ପ୍ରକ୍ରିୟାରେ କୌଣସି ତୃତୀୟ ପକ୍ଷ ଅର୍ଥାତ ଆମେରିକାର ହସ୍ତକ୍ଷେପକୁ ବାରଣ କରିଥିବା ବେଳେ, ଜଳପଥରେ ଯାତାୟାତ କରୁଥିବା ବାଣିଜ୍ୟିକ ଜାହାଜଗୁଡ଼ିକର ସୁରକ୍ଷାକୁ ନେଇ ବିଶ୍ୱ ସମୁଦାୟ ଏବେ ସତର୍କ ନଜର ରଖିଛନ୍ତି। ଯୁଦ୍ଧ ପୂର୍ବରୁ ଏହି ପଥ ଦେଇ ଜାହାଜଗୁଡ଼ିକ ବିନା ଶୁଳ୍କରେ ଯାତାୟାତ କରୁଥିଲେ, ମାତ୍ର ବର୍ତ୍ତମାନର ସ୍ଥିତି ଏହି ଗୁରୁତ୍ୱପୂର୍ଣ୍ଣ ବାଣିଜ୍ୟିକ ମାର୍ଗର ଭବିଷ୍ୟତକୁ ବଦଳାଇ ଦେଇଛି ।
ଚର୍ଚ୍ଚା news












