ଉମରକୋଟ/ ଶ୍ରୀକାନ୍ତ ନନ୍ଦ:- ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରର ଡଙ୍ଗରିଗୁଡ଼ା ଅଞ୍ଚଳରେ ଚାଲିଥିବା ଏକ ବଡ଼ ଜୁଆ ଆଡ୍ଡା ଉପରେ ମଧ୍ୟରାତ୍ରିରେ ଚଢ଼ାଉ କରିଛି ଉମରକୋଟ ପୁଲିସ। ଏହି ଚଢ଼ାଉ ସମୟରେ ୭ ଜଣ ଜୁଆଡ଼ିଙ୍କୁ ଗିରଫ କରାଯାଇଥିବା ବେଳେ ବିପୁଳ ପରିମାଣର ନଗଦ ଟଙ୍କା ଏବଂ କିଛି ଗାଡ଼ି ଜବତ କରାଯାଇଛି। ନୂତନ ଏସପିଙ୍କ ନିର୍ଦ୍ଦେଶକ୍ରମେ ଏହି ଚଢ଼ାଉ କରାଯାଇଥିବା ସୂଚନା ମିଳିଛି l ସୂଚନା ଅନୁସାରେ ଡଙ୍ଗରିଗୁଡ଼ା ଅଞ୍ଚଳରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଜୁଆ ଖେଳ ଚାଲିଥିବା ନେଇ ପୁଲିସକୁ କୌଣସି ସୂତ୍ରରୁ ଗୁପ୍ତ ଖବର ମିଳିଥିଲା। ଏହାପରେ ଜିଲ୍ଲାର ନୂତନ ଏସପିଙ୍କ ନିର୍ଦ୍ଦେଶରେ ଉମରକୋଟ ପୁଲିସ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ଉକ୍ତ ସ୍ଥାନରେ ଚଢ଼ାଉ କରିଥିଲା।ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିବା ମାତ୍ରେ ଜୁଆ ଖେଳୁଥିବା ଲୋକମାନେ ଚମ୍ପଟ ମାରିବାକୁ ଉଦ୍ୟମ କରିଥିଲେ। ତେବେ ପୁଲିସ ତତ୍ପରତା ଦେଖାଇ ୭ ଜଣଙ୍କୁ କାବୁ କରିବାରେ ସଫଳ ହୋଇଥିଲା। ସେମାନଙ୍କ ନିକଟରୁ ବିପୁଳ ପରିମାଣର ନଗଦ ଟଙ୍କା ଶହ କିଛି ଦୁଇଚକିଆ ଓ ଚାରିଚକିଆ ଗାଡ଼ି ଜବତ କରାଯାଇଛି l ଗିରଫ ହୋଇଥିବା ୭ ଜଣଙ୍କ ବିରୋଧରେ ଉମରକୋଟ ଥାନାରେ ମାମଲା ରୁଜୁ କରାଯାଇଛି। ଜିଲ୍ଲାରେ ବେଆଇନ ଜୁଆ କାରବାର ଏବଂ ଅନ୍ୟାନ୍ୟ ଅସାମାଜିକ କାର୍ଯ୍ୟକଳାପ ବିରୋଧରେ ଆଗାମୀ ଦିନରେ ଏଭଳି ଚଢ଼ାଉ ଜାରି ରହିବ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।
ଜୁଆ ଆଡ୍ଡା ଉପରେ ପୁଲିସ ଚଢ଼ାଉ
By Charcha News












