ଉଦଳା : ଉଦଳା ବ୍ଲକ ଅଧୀନ ନୂଆଗାଁ ପଞ୍ଚାୟତ କାର୍ଯ୍ୟାଳୟରେ ଶୁକ୍ରବାର ଅପରାହ୍ନରେ ଭୟଙ୍କର ଉତ୍ତେଜନା ସୃଷ୍ଟି ହୋଇଥିଲା। ପଞ୍ଚାୟତର ଉନ୍ନୟନ କାର୍ଯ୍ୟ ସମ୍ପର୍କିତ ଫାଇଲଗୁଡ଼ିକୁ ବ୍ଲକ କାର୍ଯ୍ୟାଳୟକୁ ନେବାକୁ ନେଇ ବିବାଦ ଏତେ ବଢ଼ିଗଲା ଯେ ମହିଳା ପଞ୍ଚାୟତ ଅଧିକାରୀ (ପିଓ)ଙ୍କୁ ପଞ୍ଚାୟତ ପରିସରରେ ଅଟକ ରଖାଯାଇଥିଲା। ସୂଚନା ଅନୁଯାୟୀ, ବ୍ଲକ କାର୍ଯ୍ୟାଳୟର ପିଓ ଓ ଏପିଓ ନୂଆଗାଁ ପଞ୍ଚାୟତ କାର୍ଯ୍ୟାଳୟକୁ ଆସି ସରପଞ୍ଚଙ୍କ ନିକଟରେ ଥିବା ୧୨ଟି ଫାଇଲ ନେଇ ବ୍ଲକ କାର୍ଯ୍ୟାଳୟକୁ ଯାଉଥିବା ବେଳେ କିଛି ୱାର୍ଡ ମେମ୍ବର ଏହାକୁ ବିରୋଧ କରିଥିଲେ। ଫାଇଲଗୁଡ଼ିକ ପଞ୍ଚାୟତ କାର୍ଯ୍ୟାଳୟରେ ରଖାଯାଇନ ଥାଇ ବ୍ୟକ୍ତିଗତ ଭାବେ ଏକ ଦୋକାନରୁ ଆଣାଯାଇଥିବାକୁ ନେଇ ସେମାନେ ଗଭୀର ଅସନ୍ତୋଷ ପ୍ରକାଶ କରିଥିଲେ। ଏହାକୁ ନେଇ ଦୁଇ ପକ୍ଷ ମଧ୍ୟରେ ଦୀର୍ଘ ସମୟ ଧରି ବାକ୍ଯୁଦ୍ଧ ଚାଲିଥିଲା। ଏକ ପର୍ଯ୍ୟାୟରେ ପିଓ ଫାଇଲଗୁଡ଼ିକୁ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଉପସ୍ଥିତ ୱାର୍ଡ ମେମ୍ବରଙ୍କୁ ହସ୍ତାନ୍ତର କରିଥିଲେ। ତଥାପି, ସରପଞ୍ଚ ନ ଆସିଲେ ପର୍ଯ୍ୟନ୍ତ ପିଓଙ୍କୁ ଛାଡ଼ାଯିବ ନାହିଁ ବୋଲି କିଛି ଲୋକ ଜିଦ ଧରିଥିଲେ। ପରିସ୍ଥିତି ଅଧିକ ଗୁରୁତର ହେବାରୁ ଏପିଓ ବ୍ଲକ କାର୍ଯ୍ୟାଳୟକୁ ଯାଇ ବିଡ଼ିଓଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ। ଖବର ପାଇ ବିଡ଼ିଓ ପୁଲିସ ଫୋର୍ସ ସହିତ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ପକ୍ଷଙ୍କ ସହ ଆଲୋଚନା କରିଥିଲେ। ପଞ୍ଚାୟତ ନିୟମ ଅନୁଯାୟୀ ଫାଇଲଗୁଡ଼ିକୁ ବ୍ଲକ କାର୍ଯ୍ୟାଳୟରେ ରଖାଯିବା ଦରକାର ବୋଲି ସ୍ପଷ୍ଟ କରାଯାଇଥିଲା।
ପରେ ପୁଲିସ କର୍ଡନ ମଧ୍ୟରେ ପିଓଙ୍କୁ ଉଦ୍ଧାର କରାଯାଇଥିଲା। ଭିଯୋଗ ଅନୁଯାୟୀ, ୧୧ଟି ୱାର୍ଡ ବିଶିଷ୍ଟ ନୂଆଗାଁ ପଞ୍ଚାୟତରେ ସରପଞ୍ଚଙ୍କ ମୃତ୍ୟୁ ପରେ ବର୍ତ୍ତମାନ ନାଏବ ସରପଞ୍ଚଙ୍କ ହାତରେ ପଞ୍ଚାୟତର ଦାୟିତ୍ୱ ରହିଛି। ସେ ମନମୁଖୀ ଭାବେ ୪ ଓ ୮ ନମ୍ବର ୱାର୍ଡରେ ୧୨ଟି ଏନଆରଇଜିଏସ କାର୍ଯ୍ୟର ଫାଇଲ ପ୍ରସ୍ତୁତ କରିଥିବା ଅଭିଯୋଗ ହୋଇଛି, ଯାହାର ଅନୁମାନିତ ବ୍ୟୟ ପ୍ରାୟ ୬୦ ଲକ୍ଷ ଟଙ୍କା ବୋଲି ଜଣାପଡ଼ିଛି। ଏହି ଅଭିଯୋଗ ନେଇ ୱାର୍ଡ ମେମ୍ବରମାନେ ପୂର୍ବରୁ ବାରମ୍ବାର ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବାରୁ ଏଭଳି ପଦକ୍ଷେପ ନେବାକୁ ବାଧ୍ୟ ହୋଇଥିବା କହିଛନ୍ତି। ବିଡ଼ିଓ ଏନେଇ ସୂଚନା ଦେଇ କହିଛନ୍ତି ଯେ ସମ୍ପୃକ୍ତ ଅଭିଯୋଗର ଶୁଣାଣି ଆସନ୍ତା ୧୦ ତାରିଖରେ ହେବ। ମାମଲା କୋର୍ଟରେ ମଧ୍ୟ ରହିଥିବା ସେ ସ୍ପଷ୍ଟ କରିଛନ୍ତି। ଏହା ପୂର୍ବରୁ ମଧ୍ୟ ଏପରି ଘଟଣା ଘଟିଥିବା ଉଲ୍ଲେଖ କରି, ପଞ୍ଚାୟତ ନିୟମ ଅନୁଯାୟୀ ଉନ୍ନୟନ କାର୍ଯ୍ୟ ଚାଲିଥିବା କଥା ବିଡ଼ିଓ କହିଛନ୍ତି। ସୂଚନାଯୋଗ୍ୟ ଯେ ୨୦୨୨–୨୩ ପଞ୍ଚାୟତ ନିର୍ବାଚନରେ ଚନ୍ଦ୍ରମୋହନ ପରିଆଳ ସରପଞ୍ଚ ନିର୍ବାଚିତ ହୋଇଥିଲେ। ଶାରିରିକ ଅସୁସ୍ଥତା କାରଣରୁ ସେ ୨୦୨୪ ଡିସେମ୍ବରରେ ପରଲୋକ ପ୍ରାପ୍ତ କରିଥିଲେ। ପରେ ସରକାରୀ ନିୟମ ଅନୁଯାୟୀ ପଞ୍ଚାୟତର ସମସ୍ତ କାର୍ଯ୍ୟଭାର ନିର୍ବାଚିତ ନାଏବ ସରପଞ୍ଚଙ୍କୁ ନ୍ୟସ୍ତ କରାଯାଇଛି l












